ଜନ୍ମଦିନ ଚାନ୍ଦାକୁ ନେଇ ପିଟାପିଟି, ହଷ୍ଟେଲ ବିଲଡିଂରୁ ଖସି ପଡ଼ିଲେ ଦୁଇ ଛାତ୍ର

ଚଣ୍ଡିଗଡ଼: ହଷ୍ଟେଲରେ ଗୋଟିଏ ଜନ୍ମଦିନ ପାର୍ଟି ପାଇଁ ଚାନ୍ଦା ଆଦାୟ କଥାକୁ ନେଇ ପ୍ରବଳ ମାରପିଟ ହୋଇଛି। ମାରପିଟି ବେଳେ ସ୍ଥିତି ଏପରି ହୋଇଥିଲା ଯେ ଦୁଇ ଜଣ ଛାତ୍ର ହଷ୍ଟେଲ ବିଲଡିଂରୁ ତଳକୁ ଖସି ପଡ଼ିଛନ୍ତି। ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ପଞ୍ଜାବର ଜଲନ୍ଧରରେ ଥିବା ଡିଏଭି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ଛାତ୍ରମାନେ ରହୁଥିବା ହଷ୍ଟେଲରେ ଏତେ ବଡ଼ ଘଟଣା ଘଟିଛି।
କଲେଜର ଆସୋସିଏଟ ପ୍ରଫେସର ଡ.ସଞ୍ଜୀବ ନାଭାଲ କହିଛନ୍ତି, ପ୍ରଥମେ ବିହାର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସେମାନେ ଠେଲାପେଲା ହୋଇଥିଲେ। ଏହି କାରଣରୁ ଉଭୟ ହଷ୍ଟେଲର ଦ୍ୱିତୀୟ ମହଲାରୁ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି। ଅତିରିକ୍ତ ଡିସିପି ଯଶକୀରତଜିତ ତନେଜା କହିଛନ୍ତି, ଆଇପିସିର ଧାରା ୩୦୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ହସ୍ପିଟାଲରେ ଆଡମିଟ ହୋଇଥିବା ଛାତ୍ରଙ୍କ ନାଁରେ ଏହି ମାମଲା କରାଯାଇଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତେଣୁ ସେ ସୁସ୍ଥ ହେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


ଗୋଟିଏ ଜନ୍ମ ଦିନ ପାର୍ଟି ପାଇଁ ରବିବାର ରାତିରେ ଚାନ୍ଦା ଆଦାୟ କରାଯାଉଥିଲା। ଏହି ସମୟରେ ଟଙ୍କା ନେଣଦେଣକୁ ନେଇ କଲେଜର ବିଏସ୍‌ସି କରୁଥିବା ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ପାରପିଟ ହେବାରୁ ଏତେ ବଡ଼ ଅଘଟଣ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।