କମେଡିଆନ ମୁନୱର ଫାରୁକିଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ହିନ୍ଦୁ ଦେବଦେବୀଙ୍କ ଉପରେ ଅପମାନ ସୂଚକ ବୟାନ ଦେଇଥିବା ଷ୍ଟାଣ୍ଡଅପ କମେଡିଆନ୍‌ ମୁନୱର ଫାରୁକିଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଏଥିସହ ଆହ୍ଲାବାଦ ହାଇକୋର୍ଟ ତାଙ୍କ ନାଁରେ ହାଜର ହେବାରୁ ଜାରି କରିଥିବା ୱାରେଣ୍ଟ ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି।

ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ମଧ୍ୟପ୍ରଦେଶ ହାଇକୋର୍ଟ ମୁନୱରଙ୍କୁ ଜାମିନ ଦେବାକୁ ମନା କରିଥିଲେ। ଏହି ରାୟ ବିରୋଧରେ ସେ କରିଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ନୋଟିସ କରିଛନ୍ତି। ମଧ୍ୟପ୍ରଦେଶ ସରକାର ମୁନୱରଙ୍କ ନାଁରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଅଭିଯୋଗରେ ଏକାଧିକ ଚାର୍ଜ ଲଗାଇଥିଲେ।

ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମୁନୱର ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ବିଜେପିର ଜଣେ ବିଧାୟକଙ୍କ ପୁଅ ଅଭିଯୋଗ କରିଥିଲେ। ଏଥିପାଇଁ ଜାନୁଆରୀ ୧ରେ ମୁନୱର ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା।

ଜାନୁଆରୀ ୨୮ରେ ମଧ୍ୟପ୍ରଦେଶ ହାଇକୋର୍ଟ ଫାରୁକିଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ଆଜି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।