ହେଟସ୍ପିଚ୍‌ ଘଟଣାରେ ସରକାରଙ୍କୁ ଚରମବାଣୀ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ହେଟସ୍ପିଚ୍‌ ବା ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଘଟଣାରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ। ବିଶେଷ କରି ବିଜେପି ଶାସିତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଧର୍ମ ସଭା ନାଁରେ ହେଟସ୍ପିଚ୍‌ ଦିଆଯାଉଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

ଏଥିସହ ଉତ୍ତରାଖଣ୍ଡର ରୋରକୀରେ ଆସନ୍ତାକାଲି ଆୟୋଜନ ହେବାକୁ ଥିବାର ତଥାକଥିତ ଧର୍ମ ସମ୍ମିଳନୀ ଯେମିତି ହେଟସ୍ପିଚ୍‌ କାର୍ଯ୍ୟକ୍ରମରେ ପରିଣତ ନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ସେହିପରି ହିମାଚଳ ପ୍ରଦେଶରେ ଚଳିତ ମାସରେ ଆୟୋଜିତ ହୋଇଥିବା ଧର୍ମ ସଂସଦ କାର୍ଯ୍ୟକ୍ରମକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ଯଦି ହେଟସ୍ପିଚ୍‌କୁ ବନ୍ଦ ନ କରାଯିବ, ତା’ହେଲେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏଥିପାଇଁ ଦାୟୀ ରହିବେ। ଆମେ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟକୁ ଡାକି ସ୍ପଷ୍ଟୀକରଣ ରଖିବାକୁ କହିବୁ। ଧର୍ମ ସଂସଦରେ ଯେମିତି କୌଣସି ପ୍ରକାରର ବିଦ୍ୱେଷ କିମ୍ବା ଅପ୍ରୀତିକର ପରିସ୍ଥିତି ନ ଉପୁଜିବ, ସେଥିପାଇଁ ରାଜ୍ୟ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଉ। ହେଟସ୍ପିଚ୍‌ ଘଟଣାରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ସମସ୍ତେ ପାଳନ କରିବାକୁ ବାଧ୍ୟ। ତେଣୁ ହେଟସ୍ପିଚ୍‌କୁ ରୋକିବା ପାଇଁ ସମସ୍ତେ ଆବଶ୍ୟକ ବ୍ୟବସ୍ଥା କରନ୍ତୁ। ଗାଇଡଲାଇନ ସତ୍ତ୍ୱେ ଏପରି ଘଟଣା ଘଟିବା ଦୁଃଖଦାୟକ।”

ହେଟସ୍ପିଚ୍‌ ଘଟଣାରେ ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶ ସରକାରଙ୍କୁ ମଧ୍ୟ ପ୍ରଶ୍ନବାଣ କରିଛନ୍ତି। ନିକଟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଧର୍ମ ସଂସଦରେ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏଥିସହ ହିନ୍ଦୁମାନଙ୍କୁ ହିଂସା ପାଇଁ ଉସକା ଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି।

କୋର୍ଟ କହିଛନ୍ତି, “ସରକାର ଏପରି କାର୍ଯ୍ୟକ୍ରମକୁ ବନ୍ଦ କରିବା ଦରକାର। ହେଟସ୍ପିଚକୁ ରୋକିବା ପାଇଁ ସରକାର କୌଣସି ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ କି ନାହିଁ, ସେ ବିଷୟରେ ଅବଗତ କରାଇବେ। କ’ଣ ପାଇଁ ପ୍ରଶାସନ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ?

ସରକାର ମେ’ ୭ ସୁଦ୍ଧା ସତ୍ୟପାଠ ଦାଖଲ କରିବେ। ଏଥିରେ ସରକାର କ’ଣ ସବୁ ପଦକ୍ଷେପ ନେଇଥିଲେ, ସେ ବିଷୟରେ ଅବଗତ କରାଇବେ।” ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୯ ତାରିଖରେ ହେବ।

ବିଚାରପତି ଆହୁରି କହିଛନ୍ତି, “ଏପରି କାର୍ଯ୍ୟକ୍ରମ ତତ୍କାଳ ହେଉନି। ସେମାନେ ରାତାରାତି କାର୍ଯ୍ୟକ୍ରମର ଆୟୋଜନ କରୁନାହାନ୍ତି। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ ହେବ ବୋଲି ବହୁ ପୂର୍ବରୁ ଘୋଷଣା କରାଯାଉଛି। କାହିଁକି ଆପଣମାନେ ଠିକ୍‌ ଭାବେ ପଦକ୍ଷେପ ନେଉନାହାନ୍ତି? ଏହାକୁ ରୋକିବାକୁ ସୁପ୍ରିମକୋର୍ଟ ଗାଇଡଲାଇନ ଜାରି କରିଥିଲେ।”

ଶୁଣାଣି ବେଳେ ଉତ୍ତରାଖଣ୍ଡ ସରକାରୀ ଓକିଲଙ୍କ ଉପରେ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ସରକାରୀ ଓକିଲ କହିଥିଲେ ଯେ “କପିଲ ଶିବଲ ଯେଉଁ ସଂପ୍ରଦାୟ(ମୁସଲିମ)ର ଲୋକଙ୍କୁ ସମର୍ଥନ କରି ଯୁକ୍ତି କରୁଛନ୍ତି, ସେମାନେ ମଧ୍ୟ ସମାନ କାମ କରୁଛନ୍ତି।” ଏହା ଶୁଣି ଜଷ୍ଟିସ ଏଏମ ଖାନୱିଲକର କହିଥିଲେ ଯେ “ଏପରି ଯୁକ୍ତିର ଅର୍ଥ କ’ଣ? କୋର୍ଟରେ ଏପରି ଭାଷାରେ ଯୁକ୍ତି ଉପସ୍ଥାପନ କରିବା ଆଦୌ ଗ୍ରହଣୀୟ ନୁହେଁ। ଏଥିପ୍ରତି ସତର୍କ ରୁହନ୍ତୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।