ଧର୍ମେନ୍ଦ୍ର ଓ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗର ସବୁଠାରୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନ ପାଇଁ ଆଜି ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସେ ବିରାଟ ଶୋଭାଯାତ୍ରା କରି ହଳଦିଆ ସ୍ଥିତ ଡିଏମ ଅଫିସରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ନାମାଙ୍କନ ଦାଖଲ କରିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ ଉପସ୍ଥିତ ରହିଥିଲେ।

ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରା କରିଥିଲେ। ଏଥିରେ ଯୋଗଦେଇ ସ୍ମୃତି ଇରାନୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଆପଣ ଖେଲା ବା ଖେଳ କଲେ। କିନ୍ତୁ ମୋଦି ଏଠାରେ ପରିବର୍ତ୍ତନ କରିବେ। ଆପଣ ପଶ୍ଚିମବଙ୍ଗ ସହ ଖେଳ କରିଛନ୍ତି। ମୁଁ ଦିଦିଙ୍କୁ ପଚାରିବାକୁ ଚାହେଁ ଖେଳ ସରିବା ପରେ ଆପଣ ଭବାନୀପୁର ଆସନ ଛାଡ଼ିଲେ କି? ନା ଆପଣ ଏବେ ନନ୍ଦିଗ୍ରାମ ସହ ଖେଳ କରିବାକୁ ଏଠାକୁ ଆସିଛନ୍ତି? ଦିଦି ଝିଅକୁ ଭୋଟ ଦେବାକୁ କହୁଛନ୍ତି। ହେଲେ ମୁଁ ପଚାରିବାକୁ ଚାହେଁ, କେଉଁ ଝିଅ ଦିଦି? ଯେଉଁ ଯିଏ ୮୦ ବର୍ଷର ବୃଦ୍ଧାଙ୍କୁ ପିଟିଛି? ଯେଉଁ ଝିଅ ବିଜେପି କର୍ମୀଙ୍କୁ ମାରିଛି ଓ ଗଛରେ ଟାଙ୍ଗି ଦେଉଛି? ଯେଉଁ ଝିଅ ଦୁର୍ଗା ଭଷାଣୀ ଓ ସରସ୍ୱତୀ ପୂଜାକୁ ଅନୁମତି ଦେଇ ନଥିଲା? ସେଭଳି ଯିଏ ଆଜି ନନ୍ଦିଗ୍ରାମକୁ ଆସି ଚଣ୍ଡିପାଠ କରୁଛନ୍ତି।”

ସେହିପରି ଶୁଭେନ୍ଦୁ ଅଧିକାରୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନନ୍ଦିଗ୍ରାମରେ ବିରାଟ ଯଜ୍ଞ କରିଥିଲେ। ଯଜ୍ଞ କରି ସାରିବା ପରେ ସେ ବିରାଟ ସମାବେଶକୁ ଉଦବୋଧନ ଦେଇ ବିଜେପି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ଯାଉଥିବା ଦମ୍ଭୋକ୍ତି କରିଥିଲେ। ଏହାପରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି।

ନନ୍ଦିଗ୍ରାମରେ ଏଥର ମମତା ବାନାର୍ଜୀ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି। ସେ ମାର୍ଚ୍ଚ ୧୦ରେ ଏଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସନ୍ଧ୍ୟା ବେଳେ ସେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ କୋଲକାତାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ଟିଏମସିର ପୂର୍ବତନ ନେତା। ସେ ଦୁଇଥର ଟିଏମସି ଟିକେଟରୁ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି। ଏଥର ସେ ବିଜେପି ଟିକେଟରୁ ଲଢ଼େଇ କରୁଥିବାରୁ ତାଙ୍କୁ ଖୋଦ୍‌ ମମତା ବାନାର୍ଜୀ ଚ୍ୟାଲେଞ୍ଜ ଦେବାକୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।