ମମତାଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା କହିଲେ ଶୁଭେନ୍ଦୁ ଅଧିକାରୀ, ଏହି କଥା ଲୁଚାଇଥିବା ଦାବି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ। ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଲଢ଼େଇ ମମତାଙ୍କ ସହ ହେବ। ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମମତା ନିଜ ନାଁରେ ଥିବା ୬ଟି ଅପରାଧିକ ମାମଲା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।

ସେ ଦାଖଲ କରିଥିବା ସତ୍ୟପାଠରେ ଏହାକୁ ଗୋପନ ରଖାଯାଇଛି। ଏ ସମ୍ପର୍କରେ ସେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିବା ମଧ୍ୟ କହିଛନ୍ତି। ଟିଏମସି ଛାଡ଼ି ଗତବର୍ଷ ଡିସେମ୍ବରରେ ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ମମତା ବାନାର୍ଜୀ ଟିଏମସିର ଜଣେ ପ୍ରାର୍ଥୀ ଓ ସେ ତାଙ୍କ ସତ୍ୟପାଠରେ ୬ଟି ଅପରାଧିକ ମାମଲା ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି।

ଏଥିରେ ୨୦୧୮ରେ ଆସାମର ୫ଟି ଏଫଆଇଆର ଓ ସିବିଆଇର ଗୋଟିଏ ଏଫଆଇଆର ରହିଛି। ମମତା କୋଲକାତା ହାଇକୋର୍ଟରେ ଏହି ୬ଟି ଏଫଆଇଆର ମଧ୍ୟରୁ ଗୋଟିଏକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

ଏହାର ପ୍ରମାଣ ମୁଁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି। ଏବେ କମିଶନ ଏହାର ଯାଞ୍ଚ କରିବେ। ସବୁ ତଥ୍ୟ ସାର୍ବଜନୀନ କରିବାର ନିୟମ ରହିଛି। ଏହି ନିୟମ ମୋଦିଜୀ, ମମତା ଓ ମୋ ପାଇଁ ବି ଲାଗୁ ହେବ। ମୁଁ ମୋ କର୍ତ୍ତବ୍ୟ କରିଛି ଓ ସବୁ ପ୍ରମାଣ ଦେଇଛି। ମୋର ଆଶା ଇସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।”

ଏଠାରେ ଶୁଭେନ୍ଦୁ ଯେଉଁ ମାମଲା କଥା କହୁଛନ୍ତି, ସେଗୁଡ଼ିକ ମଧ୍ୟରୁ ଆସମର ବିଭିନ୍ନ ସ୍ଥାନରେ ରୁଜୁ ହୋଇଛି। ସେହିପରି ୨୦୦୮ରେ ସିବିଆଇ ମଧ୍ୟ କୋଲକାତାରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା। ଆସାମରେ ତାଙ୍କ ନାଁରେ ୧୫୩ଏ, ୧୨୦ବି, ୧୨୧, ୧୯୮, ୨୯୪ ଓ ୫୦୬ ଅନୁଯାୟୀ ଏଫଆଇଆର ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।