ରାଜ୍ୟପାଳଙ୍କ ‘ଶିବାଜୀ ବୟାନ’କୁ ନେଇ ଝଡ଼, ତାଳି ପକାଇବାକୁ ବିଜେପିର ଉଦ୍ୟମ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜଙ୍କ ସମ୍ପର୍କରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରି ଦେଇଥିବା ବୟାନକୁ ନେଇ ଝଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଓ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଏପରି ବୟାନକୁ ନେଇ ବିବାଦ ଦେଖାଯାଇଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଖୋଲାଖୋଲି ଭାବେ ରାଜ୍ୟପାଳ କୋଶୟାରିଙ୍କୁ ରାଜ୍ୟରୁ ହଟାଇବାକୁ ଦାବି କରିଥିବା ବେଳେ ଏବେ ବିଜେପି ପ୍ରସଙ୍ଗରେ ତାଳି ପକାଇବାକୁ ଉଦ୍ୟମ କରିଛି। ବିବାଦ ବଢ଼ୁଥିବାରୁ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମୁହଁ ଖୋଲିଛନ୍ତି ଓ ସହଯୋଗୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “ଶିବାଜୀ ମହାରାଜ ହେଉଛନ୍ତି ଆମ ଭଗବାନ। ଆମେ ତାଙ୍କୁ ଆମ ବାପା ମା’ଙ୍କ ଠାରୁ ଅଧିକ ସମ୍ମାନ ଦେଉ ଓ ଉପରେ ରଖୁ।” ଦୁଇ ଦିନ ସେହି ଗଡ଼କାରୀଙ୍କୁ ପ୍ରଶଂସା କରିବାକୁ ଯାଇ ରାଜ୍ୟପାଳ କୋଶୟାରି ଶିବାଜୀ ମହାରାଜଙ୍କୁ ପୁରୁଣା କାଳର ଆଇକନ ବା ପ୍ରଖ୍ୟାତ ବ୍ୟକ୍ତିବିଶେଷ ବୋଲି କହିଥିଲେ।

ଶନିବାର ଗଡ଼କରୀ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶୟାରି ଯୋଗଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ “ପୂର୍ବରୁ ଆମକୁ ଯେତେବେଳେ ତୁମର ଆଇକନ କିଏ ବୋଲି ପଚରା ଯାଉଥିଲା ସେତେବେଳେ ଉତ୍ତର ରହୁଥିଲା ଜବାହାର ଲାଲ ନେହରୁ, ସୁଭାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧି।

ମହାରାଷ୍ଟ୍ରରେ ଆମକୁ କେଉଁ ଆଡ଼େ ଚାହିଁବା ଦରକାର ନାହିଁ। କାରଣ ଏଠାରେ ଅନେକ ପ୍ରଖ୍ୟାତ ବ୍ୟକ୍ତିବିଶେଷ ଅଛନ୍ତି। ଛତ୍ରପତି ଶିବାଜୀ ମହାରାଜ ପୁରୁଣା ସମୟର ଆଇକନ ରହିଥିବା ବେଳେ ବର୍ତ୍ତମାନ ବିଆର ଆମ୍ବେଦକର ଓ ଗଡ଼କରୀଙ୍କ ଭଳି ଆଇକନ ଆମ ପାଖରେ ରହିଛନ୍ତି।”

ତେବେ ଗଡ଼କରୀଙ୍କ ଏପରି ପ୍ରଶଂସା ତାଙ୍କ ଦଳ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ୫ ମାସ ତଳେ ବିଜେପି ସହ ହାତ ମିଳାଥିବା ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଉଦ୍ଧବ ଠାକରେଙ୍କ ଶିବସେନା ଓ ଏନସିପି ମଧ୍ୟ ଏପରି ବୟାନକୁ ନିନ୍ଦା କରିଛନ୍ତି। ଶିବାଜୀଙ୍କୁ ବିଜେପି ନେତାଙ୍କ ସହ ତୁଳନା କରି ରାଜ୍ୟପାଳ ମହାରାଷ୍ଟ୍ରକୁ ଅପମାନିତ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ବିଜେପି ସହ ମେଣ୍ଟ କରିଥିବା ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ସଞ୍ଜୟ ଗାଏକ୍ୱାଡ ଖୋଲାଖୋଲି ଭାବେ ରାଜ୍ୟପାଳଙ୍କୁ ତାଙ୍କ ବୟାନ ପାଇଁ ମହାରାଷ୍ଟ୍ରରୁ ତୁରନ୍ତ ହଟାଯାଉ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।