ତାଲିବାନର ଆଫଗାନ ଦଖଲ ପରେ କଶ୍ମୀରରେ ଘଟୁଛି ଚିନ୍ତା ବଢ଼ାଇବା ଭଳି ଘଟଣା

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନ ପୁଣି ସେଠାରେ କ୍ଷମତା ଦଖଲ କରିଛି। ଏହା ପ୍ରଭାବ ଏବେ ଭାରତର ଜମ୍ମୁ-କଶ୍ମୀରରେ ଦେଖିବାକୁ ମିଳିଛି। ଗୁଇନ୍ଦା ବିଭାଗ କହିଛି ପ୍ରାୟ ୬ଟି ଆତଙ୍କୀ ସଂଗଠନ ସଦସ୍ୟମାନେ କଶ୍ମୀରରେ ଅନୁପ୍ରବେଶ କରିଛନ୍ତି।

ଏମାନେ ଏକାଧିକ ସ୍ଥାନରେ ହମଲା କରିବାକୁ ମସୁଧା କରିଛନ୍ତି। ଏକାଧିକ ସଂସ୍ଥା ଏପରି ତଥ୍ୟ ଦେବା ପରେ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଘଟଣାରେ କେତେ ସତ୍ୟତା ରହିଛି, ତା’ର ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ସଙ୍କେତ ଅନୁଯାୟୀ, ୨୫ରୁ ୩୦ ଆତଙ୍କବାଦୀ ବିଭିନ୍ନ ସୁରକ୍ଷାବଳର ଯବାନମାନଙ୍କୁ ନିଜର କାର୍ଯ୍ୟକଳାପ ମାଧ୍ୟମରେ ମାସେ ହେଲାଣି ବ୍ୟସ୍ତ ରଖିଛନ୍ତି। ଏହି ଆତଙ୍କୀଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରରେ ପୂର୍ବରୁ ସକ୍ରିୟ ସଦସ୍ୟଙ୍କୁ ସାମିଲ କରାଯାଇ ନାହିଁ। ସେମାନଙ୍କୁ ପୂର୍ବଭଳି ଯବାନମାନେ ନିପାତ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

କଶ୍ମୀର ଉପତ୍ୟକାର ଘଟଣାକ୍ରମକୁ ଦେଖିଲେ ମାସେରୁ ଅଧିକ ଦିନ ହେଲାଣି ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାସେ ହେଲାଣି କେଉଁଦିନ ସୁରକ୍ଷାକର୍ମୀଙ୍କ ଉପରେ ଆଇଇଡି ମାଡ଼ ହେଉଛି ତ ଆଉ କେଉଁଦିନ କଶ୍ମୀରର ରାଜନେତାଙ୍କୁ ହତ୍ୟା କରାଯାଉଛି। ସେହିପରି ଏନକାଉଣ୍ଟର ଘଟଣା ବି ସାମ୍ନାକୁ ଆସୁଛି।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଆଫଗାନ ତାଲିବାନ ପଞ୍ଝାକୁ ଯିବା ପରେ ଭାରତ ସୀମାରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକ ସକ୍ରିୟ ହୋଇଯାଇଛି। ଫେବୃଆରୀ ମାସରେ ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ପରେ ଏହି ଲଞ୍ଚ ପ୍ୟାଡ୍‌ଗୁଡ଼ିକ ଖାଲି ହୋଇଯାଇଥିଲା। ଏବେ ଏଠାରେ ପୁଣି ଆତଙ୍କୀ ଗତିବିଧି ଆରମ୍ଭ ହୋଇଯାଇଛି।

ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ଗୁଡ଼ିକୁ ପ୍ରାୟ ୩୦୦ ଜଣ ଆତଙ୍କବାଦୀ ଦଖଲ କରି ନେଇଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ତେବେ ଭାରତୀୟ ସେନା ଏସମ୍ପର୍କରେ ଭଲ ଭାବେ ଜାଣିଛନ୍ତି ଓ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।

ଏହି ଅଧିକାରୀ ଜଣଙ୍କ କଶ୍ମୀରରେ ଚାଲିଥିବା ଆତଙ୍କୀ ନିରୋଧ ଅପରେସନର ନେତୃତ୍ୱ ନେଉଛନ୍ତି। ନିଜ ନାଁ ଗୋପନ ରଖି ସେ ଆହୁରି କହିଛନ୍ତି, ତାଲିବାନ ଆଫଗାନ ଦଖଲ ପରେ ସୋଶାଲ ମିଡିଆରେ ସଂଗଠନ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଥିଲା। ନିକଟରେ ଭାଇରାଲ ହୋଇଥିବା ଗୋଟିଏ ଭିଡିଓ ଜମ୍ମୁ-କଶ୍ମୀରରେ ବେଶ ଟ୍ରାକ୍ସନ ପାଇଥିଲା।

ଏହି ଭିଡିଓରେ ତାଲିବାନ ସହ ଲଢ଼େଇ କରିବାକୁ ଆଫଗାନିସ୍ତାନ ଯାଇଥିବା କିଛି ଲୋକ ପୁଣି ପିଓକେକୁ ଫେରି ଆସିଥିବାର ଦୃଶ୍ୟ ରହିଛି। ସେମାନେ ପିଓକେକୁ ଫେରିବା ପରେ ସେମାନଙ୍କୁ ହିରୋଙ୍କ ଭଳି ସ୍ୱାଗତ କରାଯାଇଥିଲା। ଏହାକୁ କଶ୍ମୀର ଉପତ୍ୟକାରେ ଅନେକ ଲୋକ ପସନ୍ଦ କରିବା ସହ ଦେଖିଛନ୍ତି। ଆତଙ୍କୀମାନେ କଶ୍ମୀର ଉପତ୍ୟକାର ଯୁବକମାନଙ୍କୁ ଏପରି ଭିଡିଓ ଦେଖାଇ ନିଜ ସହ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି।

ସବୁଠାରୁ ଚିନ୍ତାର ବିଷୟ ହେଉଛି, କିଛି ମାସ ମଧ୍ୟରେ କଶ୍ମୀରରୁ ୬୦ ଜଣ ଯୁବକ ଘରୁ କେଉଁ ଆଡ଼େ ଚାଲିଯାଇଛନ୍ତି। ସେମାନେ କିଛି କାମରେ ଯାଉଥିବା ଘରେ ସୂଚନା ଦେଇଥିଲେ। ହେଲେ ଘରୁ ଯିବା ପରଠାରୁ ସେମାନଙ୍କର କୌଣସି ପତ୍ତା ମିଳିନି। ଏମାନେ ଆତଙ୍କୀଙ୍କ କଥାରେ ପରିଚାଳିତ ହୋଇ ସୀମା ସେପଟକୁ ଚାଲି ଯାଇଥିବା ଆଶଙ୍କା କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।