ବିଜେପିର ଅଭିଯୋଗ ପରେ The Wireର ଦୁଇ ସମ୍ପାଦକଙ୍କ ଘରେ ରେଡ୍‌

ନୂଆଦିଲ୍ଲୀ: ନ୍ୟୁଜି ୱେବସାଇଟ୍‌ The Wireର ଦୁଇ ସମ୍ପାଦକଙ୍କ ଘରେ ହଠାତ୍‌ ରେଡ୍‌ କରିଛି ଦିଲ୍ଲୀ ପୁଲିସ୍‌। ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗ ପରେ ପୁଲିସ୍‌ ରେଡ୍‌ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍‌ ଆଜି ସନ୍ଧ୍ୟାରେ The Wireର ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମକେ ଭେନୁଙ୍କ ଘରେ ରେଡ କରିଛି। ଘରେ ଥିବା ଏକାଧିକ ବୈଦ୍ୟୁତିକ ଡିଭାଇସକୁ ଏହି ସମୟରେ ଯାଞ୍ଚ କରାଯାଇଥିଲା। କିଛି ଦିନ ତଳେ ଅମିତ ମାଲବ୍ୟ The Wireର ସମ୍ପାଦକଙ୍କ ବିରୋଧରେ ଠକେଇ ଓ ହେରଫେରର ଅଭିଯୋଗ ଆଣିଥିଲେ।

The Wire ନକଲି ଦସ୍ତାବିଜକୁ ବ୍ୟବହାର କରି ଶ୍ରୀ ମାଲବ୍ୟଙ୍କ ସମ୍ମାନହାନୀ କରିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ। ସେ ଅଭିଯୋଗ ଆଣିବା ପରେ ହିଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ନିକଟରେ The Wire ଗୋଟିଏ ରିପୋର୍ଟ ପ୍ରକାଶ କରିଥିଲା। କିଛି ଦସ୍ତାବିଜ ଆଧାରରେ The Wire ଲେଖିଥିଲା ଯେ ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକର ମୂଳ କମ୍ପାନୀ ମେଟା ସହ ମାଲବ୍ୟଙ୍କ ମଧୁଚନ୍ଦ୍ରିକା ରହିଛି।

ବିଜେପି ପାଇଁ କଣ୍ଟା ସାଜୁଥିବା ପୋଷ୍ଟକୁ ହଟାଇ ଦେବାର କ୍ଷମତା ମେଟା ମାଲବ୍ୟଙ୍କୁ ଦେଇଥିବା The Wire ଦାବି କରିଥିଲା। କିନ୍ତୁ The Wire ପ୍ରକାଶ କରିଥିବା ରିପୋର୍ଟ ଓ ହାସଲ କରିଥିବା ଦସ୍ତାବିଜ ନକଲି ବୋଲି ମାଲବ୍ୟ କହିଥିଲେ। ଏଥିସହ ସେ ମାନହାନୀ କେସ କରିବାକୁ ମଧ୍ୟ ଧମକ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।