ପୁଣି ଟେନସନ ଦେଲା କୋଭିଡ: ଅଫିସ, ସିନେମା ହଲ ପାଇଁ ନୂଆ ଗାଇଡ ଲାଇନ

ମୁମ୍ୱାଇ: ସାରା ଦେଶରେ ପୁଣିଥରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏହାରି ଭିତରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ବିଭିନ୍ନ କଟକଣା ଜାରି କରିଛନ୍ତି। ବିଭିନ୍ନ ଅଡିଟୋରିୟମ, ପ୍ରେକ୍ଷାଳୟ ଏବଂ ଘରୋଇ କାର୍ଯ୍ୟକ୍ରମ ଏବଂ ଅଫିସ ପାଇଁ ନୂଆ ପ୍ରତିବନ୍ଧକ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର।

ମହାରାଷ୍ଟ୍ରର ଅଡିଟୋରିୟମ୍ ଏବଂ ପ୍ରେକ୍ଷାଳୟ ମାତ୍ର ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବେସରକାରୀ ଅଫିସ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଧାର୍ମିକସ୍ଥଳୀ, ରାଜନୀତିକ ସମାବେଶ ଏବଂ ସାଂସ୍କୃତିକ ସମାବେଶରେ ଲାଗୁ ହେବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

ପ୍ରେକ୍ଷାଳୟ ଏବଂ ଅଡିଟୋରିୟମ୍ ଇଭେଣ୍ଟଗୁଡିକ ଆୟୋଜିତ ହେଉଥିଲେ ସେମାନେ ୫୦ ପ୍ରତିଶତ କ୍ଷମତା ବଜାୟ ରଖିବେ; ବିନା ମାସ୍କରେ କୌଣସି ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇପାରିବ ନାହିଁ; ହଲରେ ପ୍ରବେଶ କରିବା ବେଳେ ଶରୀରର ତାପମାତ୍ରା ପରୀକ୍ଷା ହେବା ଦରକାର; ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ ହ୍ୟାଣ୍ଡ ସାନିଟାଇଜର୍ ରହିବା ଦରକାର ବୋଲି ସରକାର କହିଛନ୍ତି।

ନିର୍ଦ୍ଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମାସ୍କ ପିନ୍ଧିବା ସହିତ ସମସ୍ତ ସାମାଜିକ ଦୂରତା ବଜାୟ ରଖିବା ଦରକାର। ଯିଏ ଏହି ଆଦେଶର ଉଲ୍ଲଂଘନ କରିବ ତାଙ୍କ ବିରୋଧରେ ଆବଶ୍ୟକ ନିୟମ ମୁତାବିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।

ସେହିପରି ପଞ୍ଜାବରେ ମଧ୍ୟ କରୋନା ନିୟମ ପୁଣିଥରେ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ସିନେମା ହଲର କ୍ଷମତା 50%ରେ ସୀମିତ ରଖିବାକୁ କୁହାଯାଇଛି। ପଞ୍ଜାବର ୧୧ଟି ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ତିମ ସଂସ୍କାର ପ୍ରକ୍ରିୟା ଏବଂ ବିବାହ ବେଳେ ୨୦ ଜଣ ସାମିଲ୍ ହୋଇପାରିବେ ବୋଲି ପଞ୍ଜାବ ସରକାର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।