ଏହି ଜେଲ୍‌ର ଖାଦ୍ୟକୁ ମିଳିଲା ୫ଷ୍ଟାର ମାନ୍ୟତା, ମେସିନରେ ହେଉଛି କାମ

କାନୁପର: ଜେଲରେ ସାଧାରଣତଃ କଏଦୀ ମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ଦିଆଯାଏ। ପାଣିଆ ଡାଲି ସହ ଆଉ କିଛି ଖାଇବାକୁ ଯେଣତେଣ ପ୍ରକାରରେ କଏଦୀମାନଙ୍କୁ ପରାସାଯାଏ। ହେଲେ ଉତ୍ତରପ୍ରଦେଶର ଫାରୁକାବାଦରେ ଥିବା ଗୋଟିଏ ଜେଲରେ କଏଦୀଙ୍କୁ ଦିଆଯାଉଥିବା ଖାଇବାକୁ ୫ ଷ୍ଟାର ମାନ୍ୟତା ମିଳିଛି।

ଫୁଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ ଇଣ୍ଡିଆ(ଏଫଏସଏସଏଆଇ) ଜେଲରେ କଏଦୀମାନେ ଖାଉଥିବା ଖାଦ୍ୟକୁ ୫ଷ୍ଟାର ମାନ୍ୟତା ଦେଇଛି। ଫାରୁକାବାଦର ଫତେଗଡ଼ କେନ୍ଦ୍ରୀୟ ଜେଲରେ କଏଦୀଙ୍କୁ ଦିଆଯାଇଥିବା ଖାଦ୍ୟର ମାନ ପରୀକ୍ଷା କରିବା ପରେ ଏଫଏସଏସଏଆଇ ଏପରି ପ୍ରମାଣପତ୍ର ପ୍ରଦାନ କରିଛି।
ଜିଲ୍ଲାର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଏଫଏସଏସଏଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗୋଟିଏ ତୃତୀୟ ପକ୍ଷ ଖାଦ୍ୟର ମାନ ଯାଞ୍ଚ କରିଥିଲା। ଏହାପରେ ଜେଲର ଖାଇବାକୁ ୫ଷ୍ଟାର ‘ଇଟ୍ ରାଇଟ ପ୍ରମାଣପତ୍ର’ ପ୍ରଦାନ କରିଛି।

ରାଜ୍ୟର କୌଣସି ଜେଲର ଖାଇବା ଓ ଏହାର ପ୍ରସ୍ତୁତିକୁ ଏପରି ମାନ୍ୟତା ମିଳିବା ପ୍ରଥମ ଘଟଣା। ଖାଦ୍ୟର ମାନ୍ୟତା ସହ ଉତ୍ତମ ପରିବେଶରେ ଜେଲରେ ଥିବା କଏଦୀଙ୍କୁ ଖାଦ୍ୟ ପରାସା ଯାଉଥିବା ସର୍ଭେ ବେଳେ ସ୍ପଷ୍ଟ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ଗୁରୁବାର ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ସିଂହ କହିଛନ୍ତି, ଫତେଗଡ଼ କେନ୍ଦ୍ରୀୟ ଜେଲ ଏଫଏସଏସଏଆଇ ଠାରୁ ‘EatRight’ ସ୍ୱୀକୃତି ଲାଭ କରିଛି। ଏହାର ଅର୍ଥ ଜେଲରେ ରହୁଥିବା ୧୧୦୦ କଏଦୀଙ୍କୁ ଅତ୍ୟନ୍ତ ପରିଷ୍କାର ଓ ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦୨୨ ମାର୍ଚ୍ଚରେ ଆମେ ଏଫଏସଏସଏଆଇ ଠାରୁ ଲାଇସେନ୍ସ ପାଇଥିଲୁ।

ଜେଲରେ ଦିଆଯାଇଥିବା ଖାଦ୍ୟର ମାନ ଓ ଏହା କେଉଁଭଳି ପରରିବେଶରେ ତିଆରି ହେଉଛି, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ଏହି ଦିଗକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲୁ। ଏହାପରେ ତୃତୀୟ ପକ୍ଷ ଗୋଟିଏ ଅଡିଟ କରିଥିଲା। ଶେଷରେ ଆମ ରୋଷଶାଳାକୁ ଏଫଏସଏସଏଆଇ ପକ୍ଷରୁ ୫ଷ୍ଟାର ମାନ୍ୟତା ଦିଆଯାଇଛି ବୋଲି ସେ କହିଛନ୍ତି।

ଏହି ୫ଷ୍ଟାର ମାନ୍ୟତା ଦେବା ପୂର୍ବରୁ ଜେଲରେ ତୃତୀୟ ପକ୍ଷ ଏକାଧିକ ଥର ଯାଞ୍ଚ କରିଥିଲା। ଜେଲ ସୁପରିନଟେଣ୍ଡେଣ୍ଟ ଭୀମସେନ ମୁକୁନ୍ଦ କହିଛନ୍ତି, ଆମେ ଏଫଏସଏସଏଆଇର ସବୁ ଗାଇଡଲାଇନକୁ ଭଲ ଭାବେ ପାଳନ କରୁଛୁ। ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ହାଇଜିନ ଓ ସାନିଟେସନକୁ ଆଦି ନିୟମକୁ ପାଳନ କରାଯାଉଛି।

ଉଭୟ ଶିଫ୍ଟରେ ରୋଷଶାଳାରେ ୧୧୦୦ କଏଦୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପୂର୍ବରୁ କଏଦୀଙ୍କ ସହାୟତାରେ ରୁଟି, ତରକାରୀ ଓ ଡାଲି ତିଆରି କରାଯାଉଥିଲା। ଏଥିପାଇଁ ଅନେକ ସମୟ ଲାଗୁଥିବା। ପ୍ରତି ଶିଫ୍ଟରେ ୫୦ରୁ ଅଧିକ କଏଦୀଙ୍କୁ ଖାଦ୍ୟ ପ୍ରସ୍ତୁତିରେ ନିୟୋଜନ କରାଯାଉଥିଲା। ହେଲେ ଏବେ ଜେଲ କର୍ତ୍ତୃପକ୍ଷ ଯଥା ସମ୍ଭବ କମ ସଂଖ୍ୟକ କଏଦୀଙ୍କୁ ଖାଦ୍ୟ ପ୍ରସ୍ତୁତି କାମରେ ଲଗାଉଛନ୍ତି।

କାରଣ ଏବେ ଜେଲରେ ଗୋଟିଏ ବଡ଼ ରୁଟି ତିଆରି ମେସିନ ଲାଗିଛି। ଅଟାକୁ ଦଳିବା ପାଇଁ ସ୍ୱତନ୍ତ୍ର ଭାବେ ମେସିନର ବ୍ୟବହାର କରାଯାଉଛି। ବିଭିନ୍ନ ପନିପରିବା ମେସିନ ଦ୍ୱାରା କଟା ଯାଉଛି। ଏହି ମେସିନ ଯୋଗୁ ଖାଦ୍ୟ ରାନ୍ଧିବା ପାଇଁ ଖର୍ଚ୍ଚ ହେଉଥିବା ସମୟ ୫୦% କମି ଯାଇଛି। ଏଥିସହ ମେସିନର ବ୍ୟବହାର କରି କଏଦୀଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।