ମହିଳା ଓ ଫଟା ଜିନ୍ସ ଉପରେ ବୟାନ ଦେଇ ବିବାଦରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ନୂଆ କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ତିରଥ ସିଂହ ରାୱତ ନିଜ ବୟାନ ପାଇଁ ବିବାଦରେ ଫସିଛନ୍ତି। ଫଟା ବା ରିପ୍‌ଡ ଜିନ୍ସ ପିନ୍ଧୁଥିବା ମହିଳାଙ୍କ ସଂସ୍କାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଫଟା ଜିନ୍ସ ପିନ୍ଧୁଥିବା ମହିଳାମାନେ କେମିତି ତାଙ୍କ ପିଲାମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦେଉଥିବେ, ତା’କୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ମଙ୍ଗଳବାର ଡେରାଡୁନ୍‌ରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଚିରା ଜିନ୍ସ ପିନ୍ଧି ବୁଲୁଥିବା ଜଣେ ମହିଳା କେମିତି ଏନଜିଓ ଚଳାଉଛନ୍ତି, ତା’କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି। ସେ ଏଭଳି ପୋଷାକ ପିନ୍ଧି ସାମାଜକୁ କେଉଁ ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

ଚିରା ଜିନ୍ସ ପିନ୍ଧି ଯଦି ମହିଳା ଓ ଝିଅମାନେ ସମାଜର ଲୋକଙ୍କୁ ଭେଟିବେ ଓ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ, ତା’ହେଲେ ସେମାନେ ଏପରି କରି ଆମ ସମାଜ ଓ ଛୋଟ ପିଲାଙ୍କୁ କ’ଣ ବାର୍ତ୍ତା ଦେବେ? ସବୁ କିଛି ଘରୁ ହିଁ ଆରମ୍ଭ ହୋଇଥାଏ। ଆମେ ଯାହା ବି କରୁ, ଆମ ପିଲାମାନେ ତା’କୁ ଅନୁସରଣ କରନ୍ତି।

ଛୋଟ ପିଲାଟିଏ ଘରୁ ହିଁ ଉପଯୁକ୍ତ ସଂସ୍କାର ପାଇଥାଏ। ଭବିଷ୍ୟତରେ ସେ ଯେତେବି ମଡର୍ଣ୍ଣ ହେଲେ ମଧ୍ୟ ଜୀବନରେ କେବେ ହେଲେ ନିଜର ମର୍ଯ୍ୟାଦା ହରାଇ ନଥାଏ। ଆଣ୍ଟୁ ଦେଖାଇବା, ଚିରା ଓ ଫଟା ଜିନ୍ସ ପିନ୍ଧିବା ଏବଂ ନିଜକୁ ଧନୀ ଭଳି ଦେଖାଇ ହେବା, ଏବେ ସମାଜନର ମୂଲ୍ୟବୋଧ ହୋଇସାରିଲାଣି। ଏସବୁ କେଉଁଠୁ ଆସୁଛି?

ଘର ମଧ୍ୟରୁ ଏପରି ବାର୍ତ୍ତା ଦିଆଯାଉ ନାହିଁ କି ? ଶିକ୍ଷକ ଓ ସ୍କୁଲଗୁଡ଼ିକରେ କ’ଣ ଭୁଲ ରହୁଛି? ଚିରା ଜିନ୍ସ ଓ ଆଣ୍ଠୁ ଦେଖାଇ ମୁଁ ମୋ ପୁଅକୁ କେଉଁ ଆଡ଼େ ନେଇ ଯାଉଛି? ଝିଅମାନେ ମଧ୍ୟ ସେମାନଙ୍କ ଆଣ୍ଠୁ ଦେଖାଇ ବୁଲୁଛନ୍ତି। ଏହା କ’ଣ ଭଲ ଜିନିଷ? ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଆମେ ଅନୁସରଣ କରୁଛେ। ହେଲେ ସେମାନେ ଆମ ଯୋଗକୁ ଅନୁସର କରୁଛନ୍ତି। ଶରୀରକୁ ସବୁବେଳେ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଛନ୍ତି। ହେଲେ ଆମେ ଅଶ୍ଳୀଳତା ଦିଗରେ ଗତି କରୁଛେ ବୋଲି ସେ କହିଛନ୍ତି।

ତିରଥ ସିଂହ ରାୱତଙ୍କ ଏଭଳି ବୟାନକୁ ସୋଶାଲ ମିଡିଆ ବ୍ୟବହାରକାରୀ ତୀବ୍ର ନାପସନ୍ଦ କରିଛନ୍ତି। ବଲିଉଡ ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦି ଏହାକୁ ବିରୋଧ କରି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ରିପ୍‌ଡ‌ ଜିନ୍ସ ସହ କଷ୍ଟମର କ’ଣ ସମ୍ପର୍କ ରହିଛି? ଲୋକମାନେ ଯାହା ଚାହିଁବେ, ତାହା ପିନ୍ଧି ପାରିବେ। ଏମିତି ବୟାନ ଦେବା ବନ୍ଦ କରନ୍ତୁ। ଏଭଳି ବୟାନ ଶୁଣି ଆମକୁ ଉତ୍ତର କୋରିଆର କଥା ଭଳି ମନେ ହେଉଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।