ବିଦ୍ରୋହୀଙ୍କୁ କାଉଣ୍ଟର ଆଟାକ କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସି ଛାଡ଼ୁଥିବା ନେତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ସେ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ନାଁ ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ରାଜୀବ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସେ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ମଧ୍ୟ ମମତା କହିବାକୁ ପଛାଇ ନାହାନ୍ତି।

ଦଳ ଛାଡ଼ିଥିବା ବିଦ୍ରୋହୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଟିଏମସି ଛାଡ଼ିଥିବା ସମସ୍ତ ନେତା ଆଗାମୀ ବିଧାନସଭା ନିର୍ବାଚନରେ ପରାସ୍ତ ହେବେ। ସେମାନଙ୍କ ଦୋକାନଗୁଡ଼ିକ ମଧ୍ୟ ନିର୍ବାଚନ ପରେ ବନ୍ଦ ହୋଇଯିବ। ଜଣେ ବ୍ୟକ୍ତି ବନ ସହାୟକ ନିଯୁକ୍ତିରେ ବ୍ୟାପକ ଅନିୟମିତତା କରିଥିଲେ। ସେ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ଦୁର୍ନୀତି କରିଛନ୍ତି। ଆମେ ଏହାର ତଦନ୍ତ କରିବୁ। ସବୁ କିଛିର ତଦନ୍ତ ହେବ।

ଦୁର୍ନୀତିରେ ଜଡ଼ିଥିବା ବ୍ୟକ୍ତି ଏବେ ବିଜେପିରେ ଯୋଗ ଦେଇଛନ୍ତି। ସେ ଅନ୍ୟମାନଙ୍କୁ ନୈତିକତାର ପାଠପଢ଼ାଉଛନ୍ତି। ଏବେ ବି ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଏହା କରିପାରିବେ। ସେମାନଙ୍କ ପାଇଁ ଦ୍ୱାର ଖୋଲା ରହିଛି। କିନ୍ତୁ ଆପଣମାନେ ଯଦି ଦଳରେ ଅଛନ୍ତି, ତା’ହେଲେ ନିୟମ ଭିତରେ ରହି କାମ କରିବାକୁ ପଡ଼ିବ।

ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଦଳ ଛାଡ଼ିଥିବା ଲୋକମାନେ ଆଗାମୀ ନିର୍ବାଚନରେ ପରାସ୍ତ ହେବେ। ବିଜେପି ଟଙ୍କା ଦେଇ କିଛି ଦୁର୍ନୀତି ଗ୍ରସ୍ତ ନେତାଙ୍କୁ କିଣି ପାରିବ, ହେଲେ ଦଳ କେବେ ହେଲେ ଟିଏମସର ପ୍ରକୃତ କ୍ୟାଡରଙ୍କୁ ନେଇ ପାରିବ ନାହିଁ। ବେଙ୍ଗଲିମାନେ ହିଁ ରାଜ୍ୟକୁ ଶାସନ କରିବେ। ଗୁଜରାଟରୁ ଆସିଥିବା ଲୋକମାନେ ଏଠାରେ କେବେ ହେଲେ ତିଷ୍ଟି ପାରିବେ ନାହିଁ।

ବିଜେପି ପାଖରେ ପ୍ରବାସୀ ଶ୍ରମିକଙ୍କୁ ଯାତ୍ରା ଖର୍ଚ୍ଚ ଦେବାକୁ ଟଙ୍କା ନାହିଁ। ହେଲେ ଅନ୍ୟ ଦଳର ନେତାଙ୍କୁ ଦିଲ୍ଲୀ ନେବା ପାଇଁ ଚାର୍ଟାର୍ଡ ବିମାନ ପଠାଇବାକୁ ଟଙ୍କା ଅଛି ବୋଲି ମମତା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।