ମମତାଙ୍କ ଗୃହ ଲକ୍ଷ୍ମୀ ଯୋଜନା, ମହିଳାଙ୍କୁ ମିଳିବ ମାସକୁ ୫ ହଜାର

ପାଣାଜୀ: ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିଥିବା ମମତା ବାନାର୍ଜୀଙ୍କ ଟିଏମସିର ନଜର ଏବେ ଗୋଆ ଉପରେ ରହିଛି। ଗୋଆରେ ବେଙ୍ଗଲ ବିଜୟର ପୁନରାବୃତ୍ତି କରିବାକୁ ଦିଦି ଜୋରସୋର୍‌ରେ ପ୍ରୟାସ କରୁଛନ୍ତି। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ।

ଏହାପୂର୍ବରୁ ମହିଳା ଭୋଟରଙ୍କୁ ଟିଏମସି ଆଡ଼କୁ ଆକର୍ଷିତ କରିବା ପାଇଁ ଦିଦି ଆଜି ଗୃହ ଲକ୍ଷ୍ମୀ ଯୋଜନାକୁ ଲଞ୍ଚ କରିଛନ୍ତି। ଏହି ଯୋଜନାରେ ଗୋଆରେ ଥିବା ମହିଳାଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ଦିଆଯିବ। ରାଜ୍ୟର ୩.୫ ଲକ୍ଷ ପରିବାରର ମହିଳା ଏହି ଯୋଜନାରେ ଲାଭବାନ ହେବେ।

ଟିଏମସି କହିଛି, ଗୋଆରେ ଥିବା ପ୍ରତି ପରିବାରର ମୁଖ୍ୟ ମହିଳାଙ୍କୁ ମାସିକ ୫ ହଜାର ଟଙ୍କା ଦିଆଯିବ। ଏହା ସେମାନଙ୍କୁ ଆକାଉଣ୍ଟରେ ସିଧାସଳଖ ଜମା ହେବ। ଏହାର ଅର୍ଥ ଜଣେ ମହିଳା ବାର୍ଷିକ ୬୦ ହଜାର ଟଙ୍କା ପାଇବେ। ଗୋଆର ୩.୫ ଲକ୍ଷ ପରିବାରରେ ରହୁଥିବା ମହିଳାଙ୍କ ମାସିକ ଆୟକୁ ନିଶ୍ଚିତ କରିବା ପାଇଁ ଏପରି କରାଯାଇଛି।

ଏହି ଯୋଜନା ଦ୍ୱାରା ସରକାରଙ୍କ ତହବିଲରୁ ୧୫୦୦ରୁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ରାଜ୍ୟ ବଜେଟର ୬ରୁ ୮% ବୋଲି ଟିଏମସି କହିଛି। ଏହି ଲୋଭନୀୟ ଯୋଜନା ଦ୍ୱାରା ମମତାଙ୍କ ଟିଏମସିରେ ଗୋଆରେ କ୍ଷମତାରେ ଥିବା ବିଜେପିକୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି।

ଏହାପୂର୍ବରୁ ମମତା ନିଜେ ଗୋଆ ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଧୀବରମାନଙ୍କ ସହ ଆଲୋଚନା କରି ସେମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଥିଲେ।

ମମତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଲକ୍ଷ୍ମୀ ଭଣ୍ଡାର ବା ଲଖିର ଭଣ୍ଡାର ନାଁରେ ଗୋଟିଏ ଯୋଜନା ଲଞ୍ଚ କରିଥିଲେ। ନିର୍ବାଚନ ଜିତିବା ପରେ ଏହାକୁ ପଶ୍ଚିମବଙ୍ଗରେ କାର୍ଯ୍ୟ କରାଯାଉଛି। ଏହି ଯୋଜନାରେ ଅନୁସୂଚିତ ଜାତି/ଜନଜାତିର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦିଆଯାଉଛି। ସେହିପରି ମମତା ସରକାର ସାଧାରଣ ବର୍ଗର ମହିଳାମାନଙ୍କୁ ମାସିକ ୫୦୦ ଟଙ୍କା ଦେଉଛନ୍ତି। ପ୍ରତି ମାସର ୩ ତାରିଖରେ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।