କଂଗ୍ରେସରୁ ଆସିଥିବା ସୁସ୍ମିତା ଦେବଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଟିଏମସି

କୋଲକାତା: କଂଗ୍ରେସ ଛାଡ଼ି ମାସକ ତଳେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ସୁସ୍ମିତା ଦେବଙ୍କୁ ବଡ଼ ଉପହାର ମିଳିଛି। ଆଜି ଟିଏମସି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ମନୋନୀତ କରାଯାଇଛି। ଏ ସମ୍ପର୍କରେ ଟିଏମସିର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ଆମେ ବେଶ ଖୁସିର ସହ ସୁସ୍ମିତା ଦେବଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରୁଛୁ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମମତା ବାନାର୍ଜୀ ଲକ୍ଷ୍ୟ ରଖିଛନ୍ତି। ଏଥିସହ ଅଧିକରୁ ଅଧିକ ମହିଳାଙ୍କୁ ରାଜନୀତିରେ ସାମିଲ ହେଲେ ଆମ ସମାଜ ଅଧିକ କିଛି ହାସଲ କରିପାରିବ ବୋଲି ଟିଏମସି ଟ୍ୱିଟ କରିଛି।

ଟିଏମସିର ଏପରି ଉପହାରକୁ ଟ୍ୱିଟ ଜରିଆରେ ସୁସ୍ମିତା ଦେବ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ବେଶ ଉତ୍ସାହିତ। ମୁଁ ମୋ ନେତା ମମତା ବାନାର୍ଜୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛୁ। ସଂସଦରେ ଅଧିକରୁ ଅଧିକ ମହିଳାଙ୍କୁ ଦେଖିବା ପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି। ଏହା ତାଙ୍କ ଉଦାରତା। ମୁଁ ସଂସଦରେ ଶତପ୍ରତିଶତ ଭଲ କାମ କରିବାକୁ ଚେଷ୍ଟା କରିବି।”

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ସେ ଆସାମର ସିଲଚାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ବେଳେ ସେ ସିଲଚାରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

ସେ ଟିଏମସିରେ ଯୋଗଦେବା ପୂର୍ବରୁ ମହିଳା କଂଗ୍ରେସର ମୁଖ୍ୟ ଭାବେ କାମ କରୁଥିଲେ। ତେବେ ସେ କଂଗ୍ରେସ ଛାଡ଼ି ମାସକ ତଳେ ସେ ଟିଏମସିରେ ସାମିଲ ହୋଇଥିଲେ। ଟିଏମସିରୁ ମାନସ ରଞ୍ଜନ ଭୂୟାଁ ରାଜ୍ୟସଭାକୁ ଯାଇଥିଲେ। ତେବେ ସେ ଇସ୍ତଫା ଦେଇଥିବାରୁ ଏହି ପଦ ଖାଲି ପଡ଼ିଛି। ଏବେ ତାଙ୍କ ସ୍ଥାନରେ ସୁସ୍ମିତା ଦେବ ରାଜ୍ୟସଭାକୁ ଯିବେ। ଏଥିପାଇଁ ଅକ୍ଟୋବର ୪ରେ ନିର୍ବାଚନ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।