ଡିଏସ୍‌ପିଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଡ୍ରାଇଭରକୁ ଏନକାଉଣ୍ଟର

ନୂଁହ(ହରିଆଣା): ହରିଆଣାର ନୂଁହରେ ଡିଏସ୍‌ପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ଡମ୍ପର ମଡ଼ାଇ ହତ୍ୟା କରିଥିବା ଡ୍ରାଇଭର ଏନକାଉଣ୍ଟରର ଶିକାର ହୋଇଛି। ଏନକାଉଣ୍ଟର ପରେ ପୁଲିସ୍‌ ତାକୁ ଗିରଫ କରିଛି। ତା’ ଆଣ୍ଠୁରେ ଗୁଳିମାଡ଼ ହୋଇଥିବାରୁ ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଇକ୍କାର। ସେ ହିଁ ଡମ୍ପର ଚଳାଉଥିଲା। ଘଟଣା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସହ ଏନକାଉଣ୍ଟର ହୋଇଛି। ବେଶ କିଛି ସମୟର ଏନକାଉଣ୍ଟର ପରେ ଇକ୍କାରକୁ ପୁଲିସ ଗିରଫ କରିଛି। ସେ ଆହତ ହୋଇଥିବାରୁ ତା’କୁ ନଲହାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେହିପରି ବେଆଇନ ଖଣି ଖନନରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଚାଲିଥିବା ହରିଆଣା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟାହ୍ନରେ ଡିଏସ୍‌ପି ସୁରେନ୍ଦ୍ର ସିଂହ ବିଷ୍ଣୋଇ ପଚଗାଓଁର ଅରବାଲି ପାହାଡ଼ରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ସେ ତାଙ୍କ ଟିମ ସହ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ପୁଲିସ୍‌ ଟିମକୁ ଦେଖି ସେଠାରୁ ଖଣି ମାଫିଆମାନେ ଖସି ଯାଇଥିଲେ। କିନ୍ତୁ ବେଆଇନ ଭାବେ ପଥର ଲୋଡ କରିଥିବା ଗୋଟିଏ ଟ୍ରକ୍‌ ଖସି ପାରି ନଥିଲା। ସେ ଖସିଯିବା ବାଟରେ ଡିଏସ୍‌ପି ସୁରେନ୍ଦ୍ର ଛିଡ଼ା ହେବା ସହ ଗାଡ଼ି ଅଟକାଇବାକୁ କହିଥିଲେ। ହେଲେ ଡ୍ରାଇଭର ଜଣକ କିଛି ନ ଶୁଣି ତାଙ୍କ ଉପରେ ସିଧା ଗାଡ଼ି ମଡ଼ାଇ ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଡିଏସ୍‌ପିଙ୍କ ଗନମ୍ୟାନ ଓ ଡ୍ରାଇଭର ଜଣଙ୍କ ଜୀବନ ବିକଳ୍ପରେ ସାଇଡକୁ ଡେଇଁ ପଡ଼ିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଡିଏସ୍‌ପିଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇ ୧ କୋଟି ଟଙ୍କାର କ୍ଷତି ପୂରଣ ରାଶି ଘୋଷଣା କରିଛନ୍ତି। ସେହିପରି ତାଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବ ବୋଲି ମଧ୍ୟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।