ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ୱାଶିଂଟନ: ବିଦେଶୀ ନାଗରିକଙ୍କୁ ଆମେରିକାକୁ ଆସି କାମ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟାନ୍‌ ଆଦେଶକୁ ଆଜି କୋହଳ କରାଯାଇଛି। ଏବେ ଏଚ-୧ ବି ଭିସାଧାରୀମାନେ ଆମେରିକା ଆସି ପୂର୍ବଭଳି ସେମାନେ କରୁଥିବା କାମରେ ଯୋଗଦେଇ ପାଇ ପାରିବେ ବୋଲି ଟ୍ରମ୍ପ ପ୍ରଶାସନ ଅନୁମତି ଦେଇଛନ୍ତି।

ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏବେ ଏଚ-୧ବି ଭିସାରେ କିଛି କୋହଳ କରାଯାଇଛି। ଲକଡାଉନ ପୂର୍ବରୁ ଯେଉଁ ନନ-ଇମିଗ୍ରାଣ୍ଟ ୱାର୍କରମାନେ ଆମେରିକାରେ କାମ କରୁଥିଲେ ଏବେ ସେମାନେ ଆମେରିକା ଆସି ପୁରୁଣା କାମରେ ଯୋଗଦେଇ ପାରିବେ। ଏଥିସହ ଏଠାରେ କାମ କରୁଥିବା ଲୋକଙ୍କ ସ୍ୱାମୀ କିମ୍ବା ପତ୍ନୀ ମଧ୍ୟ ଆମେରିକାକୁ ଆସିପାରିବେ।

ଜୁନ୍‌ ମାସରେ ରାଷ୍ଟ୍ରପତି ଟ୍ରମ୍ପ ବିଦେଶୀ ନାଗରିକଙ୍କୁ ଆମେରିକାରେ ମିଳୁଥିବା ନିଯୁକ୍ତି ଉପରେ ରୋଗ ଲଗାଇଥିଲେ। ଏଥିସହ ଏଚ-୧ବି ଭିସା ଜରିଆରେ କେହି ବି ଆମେରିକାରେ ପ୍ରବେଶ କରିପାରିବେ ନାହିଁ ବୋଲି କହିଥିଲେ। ବିଦେଶୀ ନାଗରିକମାନେ ଆମେରିକା ଆସି କରୋନା ସମୟରେ ଆମେରିକାବାସୀଙ୍କ ଚାକିରି ନେଇ ଯାଉଛନ୍ତି ବୋଲି ସେ କହିଥିଲେ।

ଏଚ୍‌-୧ବି ଭିସା ହେଉଛି ଏକ ନନ୍‌-ଇମିଗ୍ରାଣ୍ଟ ଭିସା। ଏହାଦ୍ୱାରା ଆମେରିକୀୟ କମ୍ପାନୀଗୁଡ଼ିକ ବିଦେଶୀ ନାଗରିକଙ୍କୁ ନିଯୁକ୍ତି ଦେଇଥାଆନ୍ତି। ଏଚ-୧ବି ଭିସା ବଳରେ ବିଭିନ୍ନ କମ୍ପାନୀ ଭାରତ ଓ ଚାଇନା ଭଳି ଦେଶରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଭଡ଼ାରେ ନେଇ ନିଯୁକ୍ତି ଦେଇଥାଆନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।