୧୩ ବର୍ଷର ଛାତ୍ରକୁ ବିବାହ କଲେ ଟ୍ୟୁସନ ଦିଦି

ଚଣ୍ଡିଗଡ଼: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଟ୍ୟୁସନ ଦିଦି ଓ ତାଙ୍କ ପରିବାର ଲୋକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ଟ୍ୟୁସନ ଦିଦି ମାଙ୍ଗଳିକ ଦୋଷରୁ ବାହାରିବା ପାଇଁ ତାଙ୍କ ପାଖରେ ପାଠପଢ଼ୁଥିବା ଜଣେ ୧୩ ବର୍ଷୀୟ ଛାତ୍ରଙ୍କୁ ଜୋରଜବରଦସ୍ତି ବିବାହ କରିଛନ୍ତି। ପଞ୍ଜାବର ଜଲନ୍ଧର ଅନ୍ତର୍ଗତ ବସ୍ତି ବାୱା ଖେଲ ଅଞ୍ଚଳରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଦୀର୍ଘ ଦିନ ହେଲା ତାଙ୍କର ବାହାଘର ହୋଇପାରୁ ନଥିଲା। ଏହାକୁ ନେଇ ତାଙ୍କ ପରିବାର ଲୋକ ଚିନ୍ତାରେ ଥିଲେ। ଜଣେ ପଣ୍ଡିତ ଦିଦିଙ୍କର ମାଙ୍ଗଳିକ ଦୋଷ ରହିଥିବାରୁ ବାହାଘର ହୋଇ ପାରୁ ନଥିବା କହିଥିଲେ। ଏହି ଦୋଷରୁ ମୁକଳିବାକୁ ହେଲେ, ତାଙ୍କୁ ପ୍ରତିକାତ୍ମକ ଭାବେ ଜଣେ ନାବାଳକଙ୍କୁ ବିବାହ କରିବାକୁ ପଡ଼ିବ।

ପଣ୍ଡିତଙ୍କ ଏହି କଥା ଶୁଣି ପରିବାର ଲୋକଙ୍କ ଚିନ୍ତା ଆହୁରି ବଢ଼ିଥିଲା। ତେବେ ଦିଦିଙ୍କ ପାଖରେ ଟ୍ୟୁସନ ହେଉଥିବା ଜଣେ ୧୩ ବର୍ଷୀୟ ନାବାଳକ ଉପରେ ପରିବାର ଲୋକଙ୍କ ଆଖି ପଡ଼ିଥିଲା। ଦିଦି ମଧ୍ୟ ନାବାଳକଙ୍କୁ ପ୍ରତିକାତ୍ମକ ଭାବେ ବିବାହ କରିବାକୁ ରାଜି ହୋଇଥିଲେ।

ଏଥିପାଇଁ ଦିଦି ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ସପ୍ତାହ ପାଇଁ ସେ ତାଙ୍କ ପାଖରେ ରହି ପାଠପଢ଼ିବ ବୋଲି ଦିଦି ଜଣଙ୍କ ନାବାଳକଙ୍କ ବାପାମା’ଙ୍କୁ ବୁଝାଇ ନିଜ ସହ ନେଇ ଆସିଥିଲେ। ଘଟଣା ପରେ ନାବାଳକ ଜଣଙ୍କ ଘରକୁ ଆସିଥିଲେ ଓ ପୂରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ଏହା ସାମ୍ନାକୁ ଆସିଥିଲା।

ନାବାଳକ ଜଣଙ୍କ କହିଛନ୍ତି, ଟ୍ୟୁସନ ଦିଦି ଓ ତାଙ୍କ ପରିବାର ଲୋକ ତାଙ୍କୁ ବର ଭାବେ ସଜାଇଥିଲେ। ତାଙ୍କର ହଳଦି-ମେହେନ୍ଦି କାର୍ଯ୍ୟକ୍ରମ କରାଯାଇଥିଲା। ଏପରି କି ସୁହାଗରାତ୍‌ ମଧ୍ୟ କରାଯାଇଥିଲା। ଘଟଣା ପରେ ଦିଦିଙ୍କ କାଚ ଭାଙ୍ଗି ତାଙ୍କୁ ବିଧବା ବୋଲି ଘୋଷଣା କରାଯାଇଥିଲା। ଶୋକସଭା ପାଇଁ ଦିଦିଙ୍କ ପରିବାର ଲୋକ ଗୋଟିଏ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ।

ଅଭିଯୋଗ ପରେ ଟ୍ୟୁସନ ଦିଦି ପୁଲିସ୍‌ ଷ୍ଟେସନରେ ପହଞ୍ଚି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ। ଦିଦି ଜଣଙ୍କ ନାବାଳକଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇବାରୁ ସେମାନେ ଅଭିଯୋଗ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ।

ତେବେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଯାଏ କିନ୍ତୁ ଟ୍ୟୁସନ ଦିଦି କିମ୍ବା ତାଙ୍କ ପରିବାର ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।