ନାମିବ୍ୟା ଚିତାଙ୍କ ପାଇଁ ୨ ହାତୀ, କ’ଣ ସବୁ କରୁଛନ୍ତି?

ଭୋପାଲ: ଦୀର୍ଘ ୭୦ ବର୍ଷ ପରେ ଭାରତ ଜଙ୍ଗଲରେ ଚିତା ବାଘଙ୍କ ପାଦ ପଡ଼ିଛି। ଭାରତ ସରକାର ନାମିବ୍ୟାରୁ ୮ଟି ଚିତା ବାଘ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଛନ୍ତି। ସେମାନଙ୍କ ବଂଶ ବୃଦ୍ଧି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯିବା ସହ ସମସ୍ତ ୮ ଚିତା ବାଘଙ୍କୁ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।

ଏହି ୮ ଚିତା ବାଘଙ୍କ ପାଇଁ ୨ଟି ହାତୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ଦୁଇ ହାତୀ ଚିତାଙ୍କ ସୁରକ୍ଷା କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେମାନଙ୍କୁ ନର୍ମଦାପୁରମ ସ୍ଥିତ ସତପୁରା ବ୍ୟାଘ୍ର ସଂରକ୍ଷଣରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି। ଚିତାଙ୍କ ସୁରକ୍ଷା ପାଇଁ ଗତ ମାସ ଠାରୁ ସେମାନଙ୍କୁ ତାଲିମ ଦିଆଯାଇଥିଲା। ଗୋଟିଏ ହାତୀର ନାଁ ଲକ୍ଷ୍ମୀ ଓ ଆଉ ଗୋଟିଏ ହେଉଛି ସିଦ୍ଧାନ୍ତ।

ଚିତା ବାଘଙ୍କ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଏନକ୍ଲୋଜରରେ ଯେମିତି କୌଣସି ପ୍ରଜାତିର ବାଘ ନ ପଶିବେ, ସେହିକାମରେ ଏମାନେ ସାମିଲ ହୋଇଛନ୍ତି। ଚିତାମାନେ ଉଦ୍ୟାନକୁ ଆସିବା ପୂର୍ବରୁ ଏଠାରେ ଥିବା ୫ଟି କଲରାପତରିଆ ବାଘ ଏନକ୍ଲୋଜର ଭିତରେ ପଶି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ କଲରାପତିଆଙ୍କୁ ବାହାର କରିବା ପାଇଁ ୨ ହାତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଉଭୟ ହାତୀ ସୁରକ୍ଷା ଟିମ୍‌ ସହ ମିଶି ଉଦ୍ୟାନରେ ପ୍ୟାଟ୍ରୋଲିଂ କରୁଛନ୍ତି। ଏଥିସହ ଚିତାଙ୍କ ଉପରେ ନଜର ମଧ୍ୟ ରଖାଯାଇଛି।

ନାମିବ୍ୟାରୁ ଆସି ୧୭ ତାରିଖରେ କୁନୋ ଜାତୀୟ ଉଦ୍ୟାନରେ ପାଦ ରଖିଥିବା ୮ ଚିତା ମାସେ କାଳ ସେଠାରେ ଥିବା ସ୍ୱତନ୍ତ୍ର ଏନକ୍ଲୋଜର ମଧ୍ୟରେ ରହିବେ। ସିଦ୍ଧାନ୍ତ ଓ ଲକ୍ଷ୍ନୀ ଚିତାଗୁଡ଼ିକ ଉପରେ ନଜର ରଖିଛନ୍ତି। ଅନ୍ୟ ବନ୍ୟ ଜନ୍ତୁମାନେ ଯେମିତି ଏନକ୍ଲୋଜ ନିକଟକୁ କିମ୍ବା ଏନକ୍ଲୋଜ ଭିତରେ ପଶି ପାରିବେ ନାହିଁ, ସେକଥା ମଧ୍ୟ ଦୁଇ ହାତୀଙ୍କ ସହ ମିଶି ବନ କର୍ମଚାରୀମାନେ ନିଶ୍ଚିତ କରିଛନ୍ତି।

କୁନୋ ଜାତୀୟ ପାର୍କ ଡିଏଫଓ ପ୍ରକାଶ କୁମାର ବର୍ମା କହିଛନ୍ତି, ୩୦ ବର୍ଷୀୟ ସିଦ୍ଧାନ୍ତ ରାଜ୍ୟରେ ବାଘ ଉଦ୍ଧାରର ପ୍ରମୁଖ ଚେହେରା। କିନ୍ତୁ ସିଦ୍ଧାନ୍ତ ପ୍ରବଳ ରାଗୀ। ସେ ୨୦୧୦ରେ ୨ ଜଣ ମାହୁନ୍ତଙ୍କୁ ମାରି ଦେଇଥିଲା। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରାଯାଉଛି।

୨୫ ବର୍ଷୀୟ ଲକ୍ଷ୍ମୀ ବେଶ ଶାନ୍ତ। ସେ ଜଙ୍ଗଲ ସଫାରୀ ବିଷୟରେ ବେଶ ଭଲ ଭାବେ ଅବଗତ। ସେ ପ୍ୟାଟ୍ରୋଲିଂ କରିବାରେ ମାହିର ବୋଲି ଶ୍ରୀ ବର୍ମା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।