ମଝି ଆକାଶରେ ପିଟି ହେବାରୁ ବର୍ତ୍ତିଲା ଭୁବନେଶ୍ୱର ଆସୁଥିବା ବିମାନ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ବିମାନବନ୍ଦର ଉପରେ ଗୋଟିଏ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ଏଠାରେ ଦୁଇଟି ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଇ ବିମାନ ପରସ୍ପରକୁ ଧକ୍କା ଦେବାରୁ ବର୍ତ୍ତି ଯାଇଥିଲେ।

ଗୋଟିଏ ବିମାନ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ବେଳେ ଆଉ ଗୋଟିଏ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଘଟଣାଟି ଜାନୁଆରୀ ୯ରେ ଘଟିଥିବା ବେଳେ ଆଜି ଡିଜିସିଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସବୁଠାରୁ ବଡ଼ କଥା ହେଲା କୌଣସି ଲଗବୁକରେ ଘଟଣାକୁ ରେକର୍ଡ କରାଯାଇନି। ସେହିପରି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ) ମଧ୍ୟ ଏହାର ତଥ୍ୟ ରଖିନି।

କିନ୍ତୁ ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ “ସଂସ୍ଥା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଡିସିଜିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ 6E455 (ବେଙ୍ଗାଲୁରୁରୁ କୋଲକାତା) ଓ 6E246 (ବେଙ୍ଗାଲୁରୁରୁ ଭୁବନେଶ୍ୱର) ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଇ ବିମାନ ବେଙ୍ଗାଲୁରୁ ବିମାନବନ୍ଦରରୁ ଜାନୁଆରୀ ୯ ତାରିଖ ସକାଳ ଉଡ଼ାଣ ଭରିଥିଲେ।

ଉଭୟଙ୍କ ଟେକଅପ୍‌ ସମୟ ମଧ୍ୟରେ ୫ ମିନିଟ୍‌ର ବ୍ୟବଧାନ ଥିଲା। ତେବେ ଉଭୟ ଏକା ସମୟରେ ଗୋଟିଏ ଆକାଶପଥରେ ପରସ୍ପର ଆଡ଼କୁ ଚାଲି ଆସିଥିଲେ। ଫଳରେ ମୁହାଁମୁହିଁ ଧକ୍କା ହେବାର ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଠିକଣା ସମୟରେ ରାଡାର ନିୟନ୍ତ୍ରକ ଏକ ଡାଇଭର୍ସିଂ ହେଡିଙ୍ଗ୍ ଦେଇଥିଲା। ଏଥିଯୋଗୁ ଉଭୟ ବିମାନ ପରସ୍ପରକୁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ। ଭଉୟ ବିମାନରେ ୪୨୬ ଜଣ ଲୋକ ଥିଲେ।
ବେଙ୍ଗାଲୁରୁ କୋଲକାତା ବିମାନରେ ୧୭୬ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେହିପରି ଭୁବନେଶ୍ୱର ଆସୁଥିବା ବିମାନରେ ୨୩୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।