ସିନ୍ଦେ କ୍ୟାମ୍ପର ଦାବି: ଗତବର୍ଷ ଏନଡିଏରେ ମିଶିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ

ମୁମ୍ବାଇ: ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ଶିବସେନା ସୁପ୍ରିମୋ ଗତବର୍ଷ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। ବିଦ୍ରୋହୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପର ଜଣେ ନେତା ଏଭଳି କିଛି ଦାବି କରିଛନ୍ତି। ସିନ୍ଦେଙ୍କ ସମେତ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ଉଦ୍ଧବ ଠାକରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଚୌକି ଚାଲି ଯାଇଛି।

ଏବେ ପ୍ରକୃତ ଶିବସେନା କିଏ, ତା’କୁ ନେଇ ଉଦ୍ଧବ ଠାକରେ ଓ ସିନ୍ଦେଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। ଶିବସେନାର ୧୨ ଜଣ ସାଂସଦ ମଧ୍ୟ ଉଦ୍ଧବ ଠାକରେଙ୍କ ହାତ ଛାଡ଼ିବାକୁ ବସିଲେଣି। ଏହାକୁ ନେଇ ଉଦ୍ଧବ ଚିନ୍ତାରେ ରହିଛନ୍ତି। ଏସବୁ ଭିତରେ ଆଜି ସିନ୍ଦେଙ୍କ କ୍ୟାମ୍ପରେ ଥିବା ସାଂସଦ ରାହୁଲ ଶେୱାଲେ ସାମ୍ବାଦିକ ସମ୍ମିଳନୀ କରି ଉଦ୍ଧବଙ୍କ ବିଷୟରେ ମତ ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଶିବସେନାର କିଛି ସାଂସଦ ମଧ୍ୟ ରହିଥିଲେ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ରାହୁଲ ଶେୱାଲେ କହିଛନ୍ତି, “ଗତବର୍ଷ ଜୁନ ମାସରେ ଉଦ୍ଧବ ଠାକରେ ପୁଣିଥରେ ଏନଡିଏରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ କିଛି ଦିନ ପରେ ସେ ପଛଘୁଞ୍ଚା ଦେଇଥିଲେ। ଏହା ପଛର କାରଣ କ’ଣ ସେକଥା କେହି ବି ଜାଣି ନାହାନ୍ତି।” ସିନ୍ଦେ କ୍ୟାମ୍ପର ରାହୁଲ ଶେୱାଲେ ଏପରି ଦାବି କରିଥିଲେ ମଧ୍ୟ ଉଦ୍ଧବ ଠାକରେ କିମ୍ବା ତାଙ୍କ ଗ୍ରୁପର କୌଣସି ନେତା ଏଯାଏ ଏହା ଉପରେ ପ୍ରତିକ୍ରିୟା ଦେଇନାହାନ୍ତି।

ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିବା ପରେ କଂଗ୍ରେସ ଓ ଏନସିପି ସହ ଶିବସେନା ଗଠନ କରିଥିବା ମହା ବିକାଶ ଅଘାଡି ସରକାରକୁ ଅପ୍ରାକୃତି ମେଣ୍ଟ ବୋଲି କହିଥିଲେ। ଏଥିସହ ସେ ଉଦ୍ଧବ ଠାକରେଙ୍କୁ ପୁଣିଥରେ ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଉଦ୍ଧବ ଏଥିରେ ରାଜି ହୋଇ ନାହାନ୍ତି।

ସିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଏବେ ସଂସଦରେ ଶିବସେନାର ୧୨ ଜଣ ସାଂସଦ ରାହୁଲ ଶେୱାଲେଙ୍କ ନେତୃତ୍ୱରେ ଉଦ୍ଧବ ଠାକରେଙ୍କ ବିରୋଧରେ ଯିବା ଆରମ୍ଭ କରିଛନ୍ତି। ଏହି ସାଂସଦମାନେ ଏକନାଥ ସିନ୍ଦେଙ୍କ କଥାରେ ପରିଚାଳିତ ହେଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।