ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କାହିଁକି ବିଜେପିର ସଂକଳ୍ପପତ୍ର ଖାସ୍?

କୋଲକାତା: ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି। ଗୃହମନ୍ତ୍ରୀ ଅମିତ ଶାହ ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି। ଅମିତ ଶାହ କହିଛନ୍ତି ଏହି ସଂକଳ୍ପ ପତ୍ର ଆମ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସୋନାର ବଙ୍ଗଳାର ସଂକଳ୍ପ ପତ୍ର ବୋଲି ସେ କହିଛନ୍ତି। ଏହି ସଂକଳ୍ପ ପତ୍ର ହେଉଛି ବିଶ୍ୱର ସବୁଠୁ ବଡ ଦଳର ସଂକଳ୍ପ ପତ୍ର। ଯିଏକି ଦେଶର ୧୬ରୁ ଅଧିକ ରାଜ୍ୟରେ ସରକାର ରହିଛି। ଏହି ସଂକଳ୍ପ ପତ୍ର ହେଉଛି ସେହି ଦଳ ଯିଏକି କ୍ରମାଗତ ଭାବରେ ଦୁଇଥର ସଂଖ୍ୟାଗରିଷ୍ଠତା ସହିତ ସରକାର ଗଢ଼ିଛି ବୋଲି ଶାହ କହିଛନ୍ତି।

ଶାହ କହିଛନ୍ତି ବିଜେପିର ସଂକଳ୍ପ ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୋନାର ବଙ୍ଗଳା। ପୂର୍ବରୁ ଆଧ୍ୟାତ୍ମିକ, ବିଜ୍ଞାନ, ରାଜନୀତି, ସାମାଜିକ ସଂସ୍କାର, ଶିକ୍ଷା କିମ୍ବା କଳା ଆଦି କ୍ଷେତ୍ରରେ ପଶ୍ଚିମବଙ୍ଗ ଭାରତରେ ପ୍ରତିନିଧିତ୍ୱ କରିଥିଲା। ବଙ୍ଗଳା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଥିଲା। ହେଲେ ଦୀର୍ଘ ବର୍ଷ ଧରି ବାମଦଳ ଓ ମମତା ସରକାରରେ ରହିବା ପରେ ରାଜ୍ୟରେ ବିକାଶ ପଛେଇ ଯାଇଛି।

ବିଜେପି ତାର ସଂକଳ୍ପ ପତ୍ରରେ ସମସ୍ତ ବର୍ଗଙ୍କୁ ଗୁରୁତ୍ୱ ଦେଇଛି। ମହିଳା, କୃଷକ, ଶିଶୁ, ସ୍ୱାସ୍ଥ୍ୟ, ଷ୍ଟାର୍ଟଅପ୍, ରାସ୍ତା, ମତ୍ସ୍ୟଜୀବୀ, ରୋଜଗାର, ଶିକ୍ଷା, କ୍ରୀଡା ଉପରେ ବିଜେପି ସ୍ୱତନ୍ତ୍ର ପ୍ରତିଶ୍ରୁତି ଦେଇଛି। ଏହା ସହିତ ପଶ୍ଚିମବଙ୍ଗର କୃଷକମାନଙ୍କୁ କିସାନ ସାମାନ ନିଧି ଯୋଜନାରେ ଯେଉଁ ବକେୟା ପରିମାଣ ପାଇନାହାନ୍ତି ତାହା ସରକାରକୁ ଆସିଲେ ମିଳିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଏହାଦ୍ୱାରା ରାଜ୍ୟର ୭୫ ଲକ୍ଷ କୃଷକଙ୍କୁ ତିନି ବର୍ଷ ଧରି ମମତା ସରକାର ଯେଉଁ ୧୮,୦୦୦ ଟଙ୍କା ପାଇ ପାରି ନାହାନ୍ତି ତାହା ମିଳିବ ବୋଲି ଶାହ କହିଛନ୍ତି। ଆଉ ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଯେ ବଙ୍ଗଳାର ପ୍ରତ୍ୟେକ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ। କ୍ଷମତାକୁ ଆସିଲେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପ୍ରଥମ କ୍ୟାବିନେଟରେ କାର୍ଯ୍ୟକାରୀ ହେବ। ଶରଣାର୍ଥୀ ଯୋଜନା ଅଧୀନରେ ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ଏଥିପାଇଁ ପାଞ୍ଚ ବର୍ଷ ପାଇଁ ଡିବିଟି ଜରିଆରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

ଶାହ କହିଛନ୍ତି କେଜିରୁ ପିଜି ଯାଏ ମାଗଣାରେ ସମସ୍ତ ଝିଅ ପାଠ ପଢିବେ। ପବ୍ଲିକ ଟ୍ରାନ୍ସପୋର୍ଟରେ ସମସ୍ତ ମହିଳାଙ୍କୁ ମାଗଣାରେ ଯାତ୍ରା ସୁବିଧା ରହିବ। ଏଥିସହିତ ଓବିସି ଶ୍ରେଣୀରେ ଅନେକ ହିନ୍ଦୁ ସମୁଦାୟର ଲୋକ ଆସିବେ ବୋଲି ସେ କହିଛନ୍ତି। ଏମିତିକି ରାଜ୍ୟ ସରକାରଙ୍କ କର୍ମଚାରୀ ସପ୍ତମ ବେତନ ଆୟୋଗରେ ଦରମା ପାଇବେ। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଧୀନରେ ଏକ ଦୁର୍ନୀତି ନିବାରଣ ହେଲ୍ପ ଡେସ୍କ ଆରମ୍ଭ ହେବ। ଏହି ଡେସ୍କକୁ ସମସ୍ତ ନାଗରିକ ଫୋନ୍ କରି ଦୁର୍ନୀତି ବାବଦରେ ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି। ସେହିପରି ଉତ୍ତର ବଙ୍ଗଳା, ଜଙ୍ଗଲମହଲ ଏବଂ ସୁନ୍ଦରବନରେ ତିନୋଟି ଏମ୍ସ ପ୍ରତିଷ୍ଠା ହେବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ଶାହ କହିଛନ୍ତି ଯେ ପ୍ରତ୍ୟେକ ଧର୍ମର ପର୍ବ ସାରା ଦେଶରେ ପାଳନ କରାଯିବା ଉଚିତ୍। ବିଶେଷକରି ସରସ୍ୱତୀ ପୂଜା ଏବଂ ଦୁର୍ଗା ପୂଜାର ପର୍ବ ପାଳନ କରିବା ପାଇଁ କାହାରିକୁ କୋର୍ଟର ସାହାଯ୍ୟ ଦରକାର ହେବ ନାହିଁ।

ସେହିପରି ଯେଉଁମାନେ ହିଂସାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ସମସ୍ତ ମାମଲାର ଏସଆଇଟି ତଦନ୍ତ ହେବ। ଏଥିସହ ପୀଡ଼ିତଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି।

ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ସୋନାର ବଙ୍ଗଳା ସଂକଳ୍ପ ପତ୍ର ପ୍ରସ୍ତୁତ କରିବା ପାଇଁ ମାସେରୁ ଅଧିକ ଦିନ ହେବ ୩୦-୪୦ ଗାଡ଼ି ବିଭିନ୍ନ ସ୍ଥାନରେ ବୁଲିଥିଲା। ଏହା ଗାଡ଼ିରେ ଏକ ବାକ୍ସ ରହିଥିଲା। ଆଉ କିଭଳି ପ୍ରତିଶ୍ରୁତି ଲୋକମାନେ ଚାହୁଁଛନ୍ତି ଜାଣିବାକୁ ଚେଷ୍ଟା କରିଥିଲା ବିଜେପି। ଆଉ ଲୋକଙ୍କ ମତାମତ ନିଆଯାଇ ଏହି ସଂକଳ୍ପ ପତ୍ର ଘୋଷଣା ହୋଇଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।