ବୋର୍ଡ ପରୀକ୍ଷା ସ୍ଥଗିତ, ମେ’ ୧୫ ଯାଏ ସ୍କୁଲ ବନ୍ଦ

ଲକ୍ଷ୍ନୌ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଯୋଗୁ ଗୋଟିଏ ପରେ ଗୋଟିଏ ରାଜ୍ୟ ବଡ଼ବଡ଼ ପଦକ୍ଷେପ ନେବାରେ ଲାଗିଛନ୍ତି। ସିବିଏସ୍‌ଇ ଦଶମ ପରୀକ୍ଷାକୁ ବାତିଲ କରିବା ସହ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଛି। ଏହିକ୍ରମରେ ଆଜି ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରଖିଛନ୍ତି।

ସେହିପରି ରାଜ୍ୟରେ ଥିବା ସମସ୍ତ ସ୍କୁଲ ବନ୍ଦ ଅବଧିକୁ ମେ’ ୧୫ ଯାଏ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ଏହାପରେ ରାଜ୍ୟର ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ କଟକଣା ସମ୍ପର୍କରେ ଘୋଷଣା କରାଯାଇଛି।

ସରକାରୀ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି, କରୋନା ସଂକ୍ରମଣ ଧୀରେଧୀରେ ବଢ଼ୁଥିବାରୁ ଉତ୍ତର ପ୍ରଦେଶ ସରକାର ରାଜ୍ୟ ୧୦ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ମାସରେ ସ୍ଥିତିର ଅନୁଧ୍ୟାନ କରାଯିବା ପରେ ପରୀକ୍ଷା ସମ୍ପର୍କିତ ନୂଆ ତାରିଖ ଘୋଷଣା କରାଯିବ।

ସେହିପରି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ମେ’ ୧୫ ଯାଏ ବନ୍ଦ ରହିବ। ଏହି ସମୟରେ କୌଣସି ପରୀକ୍ଷା ହୋଇପାରିବ ନାହିଁ। ମେ’ ୨୦ ପରେ ଉତ୍ତର ପ୍ରଦେଶ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ। ପ୍ରଥମ ସପ୍ତାହରେ ହିଁ ନୂଆ ପରୀକ୍ଷାସୂଚୀ ଘୋଷଣା କରାଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଜ୍ୟ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ପରୀକ୍ଷା ଏପ୍ରିଲ ୨୪ରେ ହେବାକୁ ଥିଲା। କିନ୍ତୁ ସରକାର ଏହାକୁ ମେ’ ୮କୁ ଘୁଞ୍ଚାଇଥିଲେ। ଏବେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପରୀକ୍ଷା ଉପରେ ରୋକ ଲାଗିଛି।

କରୋନା ସଂକ୍ରମଣ ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପ୍ରୟାଗରାଜ, ନୋଏଡା, କାନପୁର, ବାରାଣସୀ, ମୀରଟ ଓ ଗାଜିଆବାଦ୍‌ରେ ପୂର୍ବରୁ ହିଁ ନାଇଟ କର୍ଫ୍ୟୁ ଲାଗିଥିଲା। ପୂର୍ବରୁ ଏହା ରାତି ୧୦ଟାରୁ ଭୋର ୫ଟା ଯାଏ ରହିଥିବା ବେଳେ ଏବେ ଏହାକୁ ରାତି ୮ଟାରୁ ସକାଳ ୭ଟା ଯାଏ ବୃଦ୍ଧି କରାଯାଇଛି।

କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ଏସବୁ ଜିଲ୍ଲାରେ କରୋନା ସ୍ଥିତି ଉତ୍କଟ ରହିଛି। ଜିଲ୍ଲା ଗୁଡ଼ିକରେ ଆକ୍ଟିଭ କେସ୍‌ ସଂଖ୍ୟା ୨ ହଜାର ଉପରେ ରହିଥିବାରୁ ସରକାର କର୍ଫ୍ୟୁ ଲାଗୁ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।