କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଜାମିନ ଆବେଦନକୁ ଜୋରଦାର ବିରୋଧ କରିଥିଲେ ୟୁପି ସରକାର!

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହୋଇଥିବା ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଉତ୍ତର ପ୍ରଦେଶ ସରକାର ଜୋରଦାର ବିରୋଧ କରିଥିଲେ। ଏକଥା ଆଜି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସଫେଇ ଦେଇଛନ୍ତି। ଆଶିଷ ମିଶ୍ରା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ହୋଇଥିବାରୁ ୟୁପି ସରକାର ତାଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟରେ ବିରୋଧ କରି ନଥିବା ଅଭିଯୋଗ ହୋଇଥିଲା।

ସେହିପରି ସାକ୍ଷୀମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉ ନଥିବା କୁହାଯାଉଥିଲା। ଏଥିସହ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଦେଇଥିବା ଜାମିନକୁ ବିରୋଧ କରି ଚାଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ଆଜି ୟୁପି ସରକାର ନିଜର ପକ୍ଷ ରଖିଛନ୍ତି।

ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ “ଲଖିମୁପର ଖେରି ଘଟଣାରେ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସରକାର ବିରୋଧ କରି ନଥିବା କଥା କହିବା ସଂପୂର୍ଣ୍ଣ ଭାବେ ଭୁଲ। ଆହ୍ଲାବାଦ ହାଇକୋର୍ଟରେ ରାଜ୍ୟ ସରକାର ପୂରା ଦମରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ।

ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିବାରୁ ସରକାର ଏହା ବିରୋଧରେ ମଧ୍ୟ ଆବେଦନ କରିବାରକୁ ଯୋଜନା କରିଥିଲେ। ଏ ସଂକ୍ରାନ୍ତ ଫାଇଲ ବିଚାର ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଯାଇଛି। ହେଲେ ଏହା ଉପରେ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।”

ସାକ୍ଷୀଙ୍କ ଉପରେ ହୋଇଥିବା ହମଲା ଘଟଣାକୁ ମଧ୍ୟ ରାଜ୍ୟ ସରକାର ଫାଙ୍କି ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି, “ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏପରି ଆକ୍ରମଣ ଘଟଣା ଘଟିଛି। ଲଖିମପୁର ଖେରି ଘଟଣା ସହ ଆକ୍ରମଣର ଲିଙ୍କ ନାହିଁ। ହୋଲିରେ ରଙ୍ଗ ଫୋପଡ଼ାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିଲା।

ଲଖିମପୁର ହିଂସା କ୍ଷତିଗ୍ରସ୍ତ ପରିବାର ଓ ସାକ୍ଷୀମାନଙ୍କୁ ନିୟମିତ ଭାବେ ସୁରକ୍ଷା ଦିଆଯାଉଛି। ସାକ୍ଷୀମାନଙ୍କ ସୁରକ୍ଷାରେ ବନ୍ଧୁକଧାରୀ ଗାର୍ଡ ମୁତୟନ ହୋଇଛନ୍ତି। ସାକ୍ଷୀମାନଙ୍କ ସହ ମଧ୍ୟ ସରକାର କଥା ହୋଇଛନ୍ତି। ସରକାର ଯୋଗାଇ ଦେଇଥିବା ସୁରକ୍ଷାରେ ସେମାନେ ସନ୍ତୁଷ୍ଟ ବୋଲି ମଧ୍ୟ କହିଛନ୍ତି।”

ସରକାରଙ୍କ ପକ୍ଷ ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆସନ୍ତାକାଲି ପୀଡ଼ିତଙ୍କ ପରିବାର ଲୋକ କରିଥିବା ଆବେଦନ ଶୁଣାଣି କରିବେ ବୋଲି କହିଛନ୍ତି। ସେମାନେ ଆଶିଷ ମିଶ୍ରାଙ୍କୁ ମିଳିଥିବା ଜାମିନକୁ ଖାରଜ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।