ଯୋଗୀଙ୍କ କ୍ୟାବିନେଟରୁ ପୁଣି ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁଣିଥରେ ଝଟକା ଲାଗିଛି। ମଙ୍ଗଳବାର ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ। ଏହାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଯୋଗୀଙ୍କ କ୍ୟାବିନେଟରେ ଥିବା ଆଉ ଜଣେ ସଦସ୍ୟ ଇସ୍ତଫା ଦେଇଛନ୍ତି।

ସେ ମଧ୍ୟ ଶ୍ରୀ ମୌର୍ଯ୍ୟଙ୍କ ଭଳି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିବେ ବୋଲି କୁହାଯାଉଛି। ଆଜି ଯୋଗୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ମନ୍ତ୍ରୀ ଜଣଙ୍କ ହେଲେ ଦାରା ସିଂହ ଚୌହ୍ୱାନ। ସେ ଜଣେ ଓବିସି ବର୍ଗର ନେତା। ଜଣଙ୍କ ପରେ ଜଣେ ଓବିସି ବର୍ଗର ନେତା ମନ୍ତ୍ରୀ ପଦ ଓ ଦଳ ଛାଡ଼ିବା ବିଜେପିର ମୁଣ୍ଡ ବିନ୍ଧାକୁ ବଢ଼ାଇ ଦେଇଛି।

ଶ୍ରୀ ଚୌହାନ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ “ମୁଁ ବେଶ ନିଷ୍ଠାର ସହ କାମ କରିଥିଲି। କିନ୍ତୁ ଏବେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କାରଣ ଏହି ସରକାର ପଛୁଆ ବର୍ଗ, ଦଳିତ, ଚାଷୀ, ବେକାରୀ ଯୁବଗୋଷ୍ଠୀଙ୍କ ବିରୋଧରେ କାମ କରୁଛି। ସେମାନଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛି। ପଛୁଆ ବର୍ଗ ଓ ଦଳିତଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ଅବହେଳା କରି ଆସିଛି। ଏଥିପାଇଁ ମୁଁ ଏହି ସରକାର ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।” ଶ୍ରୀ ଚୌହ୍ୱାନ ଯୋଗୀଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଜଣେ ମନ୍ତ୍ରୀଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ। ମନ୍ତ୍ରୀ ପଦ ଛାଡ଼ିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଖୁବଶୀଘ୍ର ସମାନ ପଦକ୍ଷେପ ନେବେ।
ଶ୍ରୀ ମୌର୍ଯ୍ୟଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ କୁହାଯାଉଥିବା ରୋଶନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି, ଭଗବତୀ ସାଗର ଓ ବିନୟ ଶାକ୍ୟ ବିଜେପିକୁ ଅଲବିଦା କହିଥିଲେ।

ଏବେ ମନ୍ତ୍ରୀ ଦାରା ସିଂହ ଚୌହାନ ମଧ୍ୟ ମନ୍ତ୍ରୀ ପଦ ଓ ବିଜେପିକୁ ବାଏବାଏ କହିଛନ୍ତି। ଶ୍ରୀ ଚୌହାନଙ୍କ ଭଳି ଶ୍ରୀ ମୌର୍ଯ୍ୟ ମଧ୍ୟ ଓବିସି ବର୍ଗର ଜଣେ ଶକ୍ତିଶାଳୀ ନେତା। ସେ ଏକାଧିକ ଥର ବିଧାୟକ ହୋଇଛନ୍ତି। ୨୦୧୬ରେ ସେ ମାୟାବତୀଙ୍କ ବିଏସପି ଛାଡ଼ି ବିଜେପିରେ ମିଶିଥିଲେ।

୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ବିଜେପି ଟିକେଟରୁ ପାଡ୍ରୌନା ଆସନରୁ ଜିତିଥିଲେ। ତାଙ୍କ ଝିଅ ସଂଘମିତ୍ରା ଏବେ ଉତ୍ତର ପ୍ରଦେଶର ଜଣେ ବିଜେପି ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ସେ ହଠାତ୍‌ ଦଳ ଛାଡ଼ିବାରୁ ବିଜେପି ଶିବିରରେ କମ୍ପନ ଦେଖିବାକୁ ମିଳିଛି।

ଏଥିପାଇଁ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦଳୀୟ ନେତାଙ୍କୁ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ସମସ୍ତଙ୍କୁ ଆଲୋଚନା କରିବା ପାଇଁ ମଧ୍ୟ ଡାକିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।