ଶାଶୁ ରୋଷେଇ କଲାନି, ବୋହୂ ଡାକିଲା ପୁଲିସ

ଲକ୍ଷ୍ନୌ: ସାଧାରଣତଃ ଘରୋଇ ମହିଳା ସଂଧ୍ୟା ହେଲେ ଟିଭିରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଦେଖି ସମୟ ବିତାନ୍ତି। ମୁଖ୍ୟତଃ ସିରିଏଲ ଗୁଡ଼ିକରେ ଶାଶୁ ବୋହୂ କଳି ଚର୍ଚ୍ଚାରେ ଥାଏ। ତେବେ ଯେଉଁ କଳି ଟିଭି ପରଦାରେ ଉଭୟ ଶାଶୁ ବୋହୂ ଏକାଠି ବସି ଦେଖୁଥିବେ ଆଉ ସମାନ ଘଟଣା ଯଦି ରିଏଲ ଲାଇଫରେ ଘଟେ ତେବେ କେମିତି ହେବ ସ୍ଥିତି? ଆଉ ଘରୋଇ କଳିର ସମାଧାନ ପାଇଁ ପୁଲିସ ଆସିଥିବ, କିଛି ଭାବିପାରୁଛନ୍ତି?

ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ୟୁପିର ଗୋରଖପୁରରେ। ଯେଉଁଠି ଶାଶୁ ଓ ବୋହୂ କଳିର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଉ ସମାଧାନ ପାଇଁ ବୋହୂ ଡାକିଛି ପୁଲିସ। ଘଟଣାଟି ଏମିତି ବୋହୂ ଅସୁସ୍ଥ ଥିଲା। ଶାଶୁ ସିରିଏଲ ଦେଖୁଥିଲେ। ତେଣୁ ଶାଶୁ ରୋଷେଇ କରିପାରିବେନି ବୋଲି ବୋହୂକୁ ରୋକଠୋକ ଶୁଣାଇ ଦେଇଥିଲେ। ଆଉ ଏଥିରେ ରାଗିଯାଇ ବୋହୂ ୧୧୨କୁ ଫୋନ କରି ପୁଲିସକୁ ସବୁକଥା କହିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟ ଶାଶୁ ଏବଂ ବୋହୂଙ୍କ ସ୍ୱାମୀ ସରକାରୀ ଚାକିରିଆ। ଉଭୟ ଘରେ ନଥିବାବେଳେ ଏହି କଳି ସାମ୍ନାକୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶାଶୁ ବୋହୂ ନିଜ ନିଜର ପକ୍ଷ ରଖିବା ସହିତ ହାତାହାତି ହେବା ସ୍ଥିତିକୁ ଚାଲିଆସିଥିଲେ। ହେଲେ ପୁଲିସ ସମସ୍ତଙ୍କୁ ଶାନ୍ତ କରାଇଥିଲା।

ବୋହୂ ଜଣଙ୍କ ପୁଲିସ ଆଗରେ କହିଥିଲେ ଶାଶୁ ବାସି ଖାଇବା ଦେଉଥିବାରୁ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଛି। ଜବାବରେ ଶାଶୁ କହିଥିଲେ ସେ ଗରମ ଖାଇବା ସବୁବେଳେ ପରଷନ୍ତି। ବୋହୂ ହଇରାଣ କରିବାକୁ ଯାଇ ଏଭଳି ମିଛ ଅଭିଯୋଗ ଆଣୁଛି ବୋଲି ସେ କହିଥିଲେ। ଏହାପରେ ପୁଲିସ ଉଭୟଙ୍କୁ ଶାନ୍ତ କରାଇଥିଲା। ଆଗକୁ ଯଦି ଦୁଇ ଜଣ ଏଭଳି ଝଗଡ଼ା କରିବେ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।