ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍‌। ସେ ଆସନ୍ତା ସପ୍ତାହରେ ଭାରତ ଆସି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସହ ମଧ୍ୟ ତାଙ୍କର ବୈଠକ ହେବ।

ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଫଗାନିସ୍ତାନରେ ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବା ବେଳେ ଆମେରିକା ସେନା ପ୍ରତ୍ୟାହୃତ କରିବାରେ ଲାଗିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଫଗାନିସ୍ତାନ ପଡ଼ୋଶୀ ଭାରତର ସହାୟତା ଲୋଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ହିଁ ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିନକେନ୍‌ ଭାରତ ଆସୁଛନ୍ତି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲିନକେନ୍‌ ଜୁଲାଇ ୨୭ ଓ ୨୮ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ବ୍ଲିନକେନ୍‌ ଦେଶର ବୈଦେଶିକ ମନ୍ତ୍ରୀ ହୋଇଥିଲେ। ଏହି ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମଥର ଭାରତ ଆସୁଛନ୍ତି।

ସେ ପ୍ରଥମେ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅର୍ଥାତ ବୁଧବାର ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବୈଠକ କରିବେ। ଆମେରିବାର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି, ମନ୍ତ୍ରୀ ବ୍ଲିନକେନ୍‌ଙ୍କ ଯାତ୍ରା ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ କଥାବାର୍ତ୍ତାକୁ ଆଗକୁ ବଢ଼ାଇବ ଓ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜଭୂତ କରିବ।

ଉଭୟ ଦେଶ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଆଲୋଚନା କରାଯିବ। ଏହା ମଧ୍ୟରେ କୋଭିଡ-୧୯, ଇଣ୍ଡୋ ପ୍ୟାସିଫିକ କ୍ଷେତ୍ର, ଆଫଗାନିସ୍ତାନ ଓ ମିଳିତ ଜାତିସଂଘ ସମ୍ପର୍କିତ ଆଦି  ପ୍ରସଙ୍ଗ ରହିଛି। ବ୍ଲିନକେନ ୨୬ରୁ ୨୯ ଯାଏ ବିଦେଶ ଗସ୍ତରେ ଯିବେ। ଭାରତ ବ୍ୟତୀତ ସେ କ୍ୟୁଏତ ମଧ୍ୟ ଗସ୍ତ କରିବେ।

ସୂଚନାଯୋଗ୍ୟ, ପୂର୍ବରୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଏଲ ଅଷ୍ଟିନ ତାଙ୍କର ପ୍ରଥମ ବିଦେଶ ଗସ୍ତ ବେଳେ ଭାରତ ଆସିଥିଲେ। ଏହାପରେ ବ୍ଲିନକେନ ଆସିବାର ଥିଲା। ହେଲେ ମହାମାରୀ କରୋନା ଯୋଗୁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।