ସମସ୍ତ ଜାତୀୟ କ୍ଷମତାକୁ ବ୍ୟବହାର କରି ଟିକା ଉତ୍ପାଦନ ବୃଦ୍ଧି କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବେଳେ କରୋନା ଟିକାର ଅଭାବ ରହିଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜରୁରୀ ବୈଠକ କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ମୋଦି କରିଥିବା ଏହି ବୈଠକରେ ଟିକାର ଉତ୍ପାଦନ ବୃଦ୍ଧି କରିବା ଉପରେ ଫୋକସ କରାଯାଇଛି।

ଦେଶରେ ଟିକାର ଉତ୍ପାଦନ ଯେକୌଣସି ପରିସ୍ଥିତି ବି ବୃଦ୍ଧି କରିବାକୁ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା ସମସ୍ତ ଜାତୀୟ କ୍ଷମତାକୁ ବ୍ୟବହାର କରିବାକୁ ସେ କହିଛନ୍ତି। ସବୁ କିଛି ବିକଳ୍ପକୁ ବ୍ୟବହାର କରି ଯେମିତି ହେଲେ ବି ଦେଶରେ କରୋନା ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ହେବ ବୋଲି ମୋଦି ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଶନିବାର ବୈଠକରେ ମୋଦି ଟିକାର ଉତ୍ପାଦନ ଓ ବିତରଣ ବ୍ୟବସ୍ଥା ବ୍ୟତୀତ ବିଭିନ୍ନ ରାଜ୍ୟର କରୋନା ସ୍ଥିତିକୁ ସମୀକ୍ଷା କରିଛନ୍ତି। ଏଥିସହ ସବୁ ରାଜ୍ୟକୁ ଅମ୍ଳଜାନ ଠିକ୍‌ ଭାବେ ପଠାଯାଉଛି କି ନାହିଁ, ତା’ର ମଧ୍ୟ ତର୍ଜମା କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୧୨.୨୫ କୋଟି ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୧.୬୧ କୋଟି ଲୋକ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି।

ଶନିବାର ୨,୩୪,୬୯୨ ଜଣ ସଂକ୍ରମିତ ଚିହ୍ନଟ ଓ ୧୩୪୧ ଜଣଙ୍କ ମୃତ୍ୟୁପରେ ମୋଦି ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଥିଲେ। ଦେଶରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ କହିବା ପରେ ମୋଦି ଏହାର ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୋଦି ଅଧିକାରୀମାନଙ୍କୁ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ କହିଛନ୍ତି। କରୋନା ରୋଗୀଙ୍କ ପାଇଁ ବେଡ୍‌ ସଂଖ୍ୟା ବୃଦ୍ଧି ସହ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କରୋନା ପାଇଁ ଗେମଚେଞ୍ଜର ସାବ୍ୟସ୍ତ ହେଉଥିବା ରେମଡେସିଭିରର ଉତ୍ପାଦନ ବୃଦ୍ଧି କାରିବାକୁ କେନ୍ଦ୍ର ସରକାର କହିଛନ୍ତି। ବିଭିନ୍ନ ରାଜ୍ୟରେ ଏହି ଜୀବନ ରକ୍ଷାକାରୀ ଇଞ୍ଜେକସନର ଅଭାବ ରହିଥିବା ଅଭିଯୋଗ ହୋଇଛି। ଏହି କାରଣରୁ କେନ୍ଦ୍ର ସରକାର ମେ’ ମାସରେ ୭୪ ଭିଆଲ୍ସ ରେମଡେସିଭିର ଉତ୍ପାଦନ କରିବାକୁ ବିଭିନ୍ନ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ମାସରୁ ୨୭ରୁ ୨୮ ଲକ୍ଷ ଭିଆଲ୍ସ ଉତ୍ପାଦନ ହେଉଛି।

ରେମଡେସିଭିରର ଚାହିଦା ଦିନକୁ ଦିନ ବଢ଼ୁଥିବା ଏହାର ବିତରଣରୁ ହିଁ ସ୍ପଷ୍ଟ ହୋଇଛି। ୨୦୨୧ ଏପ୍ରିଲ ୧୧ରେ ୬୭,୯୦୦ ଭିଆଲ୍ସ ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ବେଳେ ୧୫ ତାରିଖ ବେଳକୁ ଏହା ୨,୦୬,୦୦୦ ଭିଆଲ୍ସରେ ପହଞ୍ଚି ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରେମଡେସିଭିରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଏହି ଇଞ୍ଜେକସନକୁ ଦେଶରେ ୭ଟି କମ୍ପାନୀ ତିଆରି କରୁଛନ୍ତି। କାଡିଲା ହେଲଥ କେୟାର ଏହି ଇଞ୍ଜେକସନକୁ ୨୮୦୦ ଟଙ୍କାରେ ବିକ୍ରି କରୁଥିଲା ଏବେ ସରକାର ଦର କମାଇବା ପରେ ନୂଆ ଦାମ ୮୯୯ ଟଙ୍କା ହୋଇଛି। ସେହିପରି ସିନଜିନ ଇଣ୍ଟେରନେଶନାଲ ଦ୍ୱାରା ତିଆରି ହେଉଥିବା ଏହି ଇଞ୍ଜେକସନର ଦାମ ୩୯୫୦ଟଙ୍କା ଥିବା ବେଳେ ଏବେ ନୂଆ ଦାମ ୨୪୫୦ ଟଙ୍କା ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।