ୟୁପିକୁ ନୂଆ ଜମ୍ମୁ-କଶ୍ମୀର କହିଲେ ଓମାର ଅବଦୁଲ୍ଲା, ମେହବୁବା ବି ବାଣ ମାରିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୀତିକ ଦଳ ଚାଷୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରେ ଏବେ ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ଯୋଡ଼ି ହୋଇଯାଇଛନ୍ତି। ସେମାନେ  ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ଭାରତ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ରବିବାର ଘଟିଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି। ୟୁପିରେ ଏପରି ହିଂସାକାଣ୍ଡ ଘଟିଥିବାରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ ବୟାନ ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ୟୁପି ହେଉଛି ନୂଆ ଜମ୍ମୁ-କଶ୍ମୀର।” ଜମ୍ମୁ-କଶ୍ମୀରରେ ଯେଉଁଭଳି ଲୋକଙ୍କ ସ୍ୱରକୁ ଚାପି ଦିଆଯାଉଛି, ୟୁପିରେ ବର୍ତ୍ତମାନ ସେହି ଟ୍ରେଣ୍ଡ ଆରମ୍ଭ ହୋଇଥିବା ଓମାର ପରୋକ୍ଷରେ କହିବାକୁ ଚେଷ୍ଟା କରିଛନ୍ତି। ଏହାପୂର୍ବରୁ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ୟୁପି ହିଂସାକୁ ନେଇ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲେ।


ସେ କହିଥିଲେ “ଯେଉଁଠି ବି ମାନବାଧିକାର ଓ ସମ୍ମାନହାନୀ କଥା ଉଠୁଛି, ସେଠାରେ ଭାରତ ସରକାର ତୁରନ୍ତ ୧୪୪ ଧାରା ଲାଗୁ କରି ଦେଉଛନ୍ତି। ଏ ସରକାର ନିଜ ଲୋକଙ୍କ ଉପରେ ଲୁହା ରଡ ମାଡ଼ କରିବାକୁ ଆଦୌ ପଛାଉ ନାହାନ୍ତି। କିନ୍ତୁ ଚାଇନିଜ ଟ୍ରୁପ୍ସକୁ ଖୋଲା ବାହୁରେ ସ୍ୱାଗତ କରୁଛନ୍ତି।

୨୦୧୯ରୁ ଜମ୍ମୁ-କଶ୍ମୀରରେ ଯେଉଁ ଦମନଲୀଳା ଆରମ୍ଭ ହୋଇଛି କେହିବି ଏହାକୁ ଅନ୍ୟ ସ୍ଥାନ ସହ ତୁଳନା କରିପାରିବେ ନାହିଁ। କିନ୍ତୁ ସାଧାରଣ ବିକ୍ଷୋଭ ସ୍ୱାଭାବିକ। ଜମ୍ମୁ-କଶ୍ମୀରରେ ଯାହା ଆରମ୍ଭ ହୋଇଥିଲା, ଏବେ ତା’ହା ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚିବାରେ ଲାଗିଛି। ଆମେ କେତେବେଳେ ଏହା ବିରୋଧରେ ସ୍ୱର ଉଠାଇବା?”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।