କାର୍ଯ୍ୟକାଳ ପୂରଣର ୨ ବର୍ଷ ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟପାଳ ବେବୀ ରାଣୀ

ଡେରାଡୁନ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହଠାତ୍‌ ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ବେବୀ ରାଣୀ ମୌର୍ଯ୍ୟ। ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୨ ବର୍ଷ ବାକି ଥିଲା। କିନ୍ତୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ବେବୀ ରାଣୀ ଆଗାମୀ ଦିନରେ ସକ୍ରିୟ ରାଜନୀତିକୁ ଆସିବେ। ଏଥିପାଇଁ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି।

ବେବୀ ରାଣୀ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ଏଥିରେ ଉଲ୍ଲେଖ କରିଛନ୍ତି। ସେପ୍ଟେମ୍ବର ୫ରେ ସେ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସମୟରେ ଉତ୍ତରାଖଣ୍ଡ ରାଜନୀତିକ ପାଣିପାଗକୁ ନେଇ ସେ ଶ୍ରୀ ଶାହଙ୍କ ଆଲୋଚନା କରିଥିବା କୁହାଯାଉଛି। ଏହି ବୈଠକର ୩ ଦିନ ପରେ ହିଁ ବେବୀ ରାଣୀ ଇସ୍ତଫା ଦେଇଛନ୍ତି। ତେଣୁ ସେ ସକ୍ରିୟ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ ବର୍ଷ ଧରି ବିଜେପି ସହ ଜଡ଼ିତ ଥିବା ୬୫ ବର୍ଷୀୟ ବେବୀ ରାଣୀ ୨୦୧୮ ମସିହା ଅଗଷ୍ଟ ୨୫ରେ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। କେକେ ପଲ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ବେବୀ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ।

ଗତ ମାସରେ ତାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପୂରିଥିଲା। ୧୯୯୫ରୁ ୨୦୦୦ ମସିହା ଯାଏ ସେ ଆଗ୍ରାର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟ କରିଥିଲେ। ୨୦୦୨ରୁ ୨୦୦୫ ଯାଏ ସେ ଜାତୀୟ ମହିଳା କମିଶନର ଦାୟିତ୍ୱ ନିର୍ବାହ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।