ସବୁ ବର୍ଗର ଲୋକଙ୍କୁ କେବେ ମିଳିବ ଟିକା? ଜବାବ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହରୀ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ବି ବୃଦ୍ଧି ପାଉଛି। ଏବେ ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ନେବାକୁ ଅନୁମତି ମିଳିଛି। ଏସବୁ ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଜୋର ଧରିଛି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତଙ୍କୁ ଟିକା ଦେବା ଦାବି ଉପରେ ପ୍ରତିକ୍ରିୟା ରଖିଛି। ମଙ୍ଗଳବାର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ବିଶ୍ୱରେ ଏହା ଉପରେ ଅନେକ ଆଲୋଚନା ହୋଇଛି। ଏହାପରେ ନିଷ୍ପତ୍ତି ହୋଇଥିଲା ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା। ଏହି ଦୁଇଟି କଥା ଉପରେ ଫୋକସ କରି ଭାରତ, ଆମେରିକା, ବ୍ରିଟେନରେ ଲୋକଙ୍କୁ ଟିକା ଦିଆଯାଉଛି। ପ୍ରଭାବିତ ହେବାର ଆଶଙ୍କା ଥିବା ଲୋକଙ୍କୁ ହିଁ ପ୍ରଥମେ ଟିକା ଦିଆଯାଏ। ଟିକା ସବୁବେଳେ ଆବଶ୍ୟକ ଥିବା ଲୋକଙ୍କୁ ଦିଆଯାଏ। ଯିଏ ଯେତେବେଳେ ଚାହିଁବି, ତା’କୁ ସେତେବେଳେ ଟିକା ମିଳି ନଥାଏ ବୋଲି ସେ କହିଛନ୍ତି।

ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି, ଆପଣମାନେ ଯେତେବେଳେ ସମସ୍ତଙ୍କୁ ଟିକା ଦେବା କଥା କହୁଛନ୍ତି, ଆମେ ସେତେବେଳେ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ। ଏବେ ବି ବ୍ରିଟେନର ସମସ୍ତଙ୍କୁ ଟିକା ଦେବାକୁ ଅନୁମତି ମିଳିନି। ଆମେରିକାରେ ବୟସ ଅନୁଯାୟୀ ଟିକା ଦିଆଯାଇଛି। କେଉଁ ଦେଶରେ ୪୫ ବର୍ଷରୁ କମ ବୟସ୍କଙ୍କୁ ଏଯାଏ ଟିକା ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଆମକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବାକୁ ପଡ଼ିବ। କଣ୍ଟେନମେଣ୍ଟ କରିବାକୁ ହେବ। ଯେତେବେଳେ ସମୟ ଆସିବ, ଆମେ ସବୁ ବର୍ଗର ଲୋକଙ୍କୁ ଟିକା ଦେବାକୁ ଅନୁମତି ଦେବୁ। ଏବେ କରୋନା ସଂକ୍ରମଣର ହାର ପୂର୍ବାପେକ୍ଷା ଅଧିକ ରହିଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ଏବେ ଗୋଟିଏ ଅସାଧାରଣ ପରିସ୍ଥିତି ଘଟୁଛି। ପରବର୍ତ୍ତୀ ୪ସପ୍ତାହ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟିକା ନେବା ପରେ ମଧ୍ୟ ମାସ୍କ ଲଗାଇବା, ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହେବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।