ନୂଆ ରିପୋର୍ଟ: ଡେଲ୍ଟା ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବ ୮ ଗୁଣ କମ

ନୂଆଦିଲ୍ଲୀ: ଭାରତରେ ତାଣ୍ଡବ ରଚିଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ଚିନ୍ତାଜନକ ଖବର ଆସିଛି। କରୋନାକୁ ମାତ ଦେବା ପାଇଁ ବ୍ୟବହୃତ ଟିକାଗୁଡ଼ିକ ଡେଲ୍ଟା ଭାରିଏଣ୍ଟ ବିରୋଧରେ ଉହାନ୍‌ ଭୂତାଣୁଠାରୁ ୮ଗୁଣ କମ ପ୍ରଭାବ ଦେଖାଇ ପାରୁଥିବା ଜଣାପଡ଼ିଛି। ଏହାର ଅର୍ଥ ଉହାନରୁ ଆସିଥିବା ଭାରିଏଣ୍ଟ ତୁଳନାରେ ଭାରତରେ ପ୍ରଥମଥର ଠାବ ହୋଇଥିବା ଡେଲ୍ଟା ଭାରିଏଣ୍ଟ ଅଧିକ ମାରାତ୍ମକ। ସେହିପରି ଏହି ଡେଲ୍ଟା ଭାରିଏଣ୍ଟ ଟିକାର ପ୍ରଭାବକୁ ମଧ୍ୟ ୮ ଗୁଣା ହ୍ରାସ କରି ଦେଉଥିବା ନୂଆ ସର୍ଭେରୁ ସାମ୍ନାକୁ ଆସିଛି।

ବି.୧.୬୧୭.୨ ବା ଡେଲ୍ଟା ଭାରିଏଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ହିଁ ‘ଉଦବେଗଜନକ ଭାରିଏଣ୍ଟ’ ବୋଲି କହି ସାରିଛି। ୧୦୦ରୁ ଅଧିକ ଦେଶରେ ଏହି ଭାରିଏଣ୍ଟ ଠାବ ହୋଇଥିବା ବେଳେ ସଂକ୍ରମଣ ହାର ମଧ୍ୟ ବଢ଼ିବାରେ ଲାଗିଛି।

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଡେଲ୍ଟା ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ନିଷ୍କ୍ରିୟ କରିବାରେ ସକ୍ଷମ ହେଉଛି। ସେହିପରି ପୂର୍ବରୁ ସଂକ୍ରମିତ ହୋଇ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ମଧ୍ୟ ଡେଲ୍ଟା ଭାରିଏଣ୍ଟ ନିଷ୍କ୍ରିୟ କରିବାରେ ସଫଳ।

ପୁନଃ ସଂକ୍ରମଣ ଓ କ୍ଷୀପ୍ର ଗତି ଯୋଗୁ ଡେଲ୍ଟା ଭାରିଏଣ୍ଟ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଏହି ଡେଲ୍ଟା ଭାରିଏଣ୍ଟ ସଂକ୍ରମିତ କରିବା ସହ ସେମାନଙ୍କଠାରୁ ଏହା ଅନ୍ୟମାନଙ୍କ ପାଖକୁ ଯାଉଛି। ସର୍ଭେ ବେଳେ ଟିକା ନେଇ ସଂକ୍ରମିତ ହୋଇଥିବା ପ୍ରାୟ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ କରାଯାଇଥିଲା।

ଦେଶର ୩ଟି ସ୍ଥାନରେ ଏପରି ପରୀକ୍ଷା କରାଯାଇଛି। ଏହି ସମୟରେ ଜଣାପଡ଼ିଛି ଯେ ଡେଲ୍ଟା ଭାରିଏଣ୍ଟ ଟିକା ନେଇଥିବା ଲୋକଙ୍କୁ କେବଳ ସଂକ୍ରମଣ କରୁନାହିଁ ବରଂ ସେମାନଙ୍କ ଶରୀରରେ ଉଚ୍ଚ ଶ୍ୱାସ ଜନିତ ଭାଇରାଲ ଲୋଡ୍‌ ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟ ଭାରିଏଣ୍ଟ ତୁଳନାରେ ଏହି ଡେଲ୍ଟା ଭାରିଏଣ୍ଟ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଦ୍ରୁତଗତିରେ ମାଡ଼ୁଛି ବୋଲି ଗବେଷଣାରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୨୦ ଶେଷ ଭାଗରେ ମହାରାଷ୍ଟ୍ରରେ ପ୍ରଥମେ ଏହି ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଠାବ ହୋଇଥିଲା। ଏହାପରେ ଦେଶର ବିଭିନ୍ନ ପ୍ରାନ୍ତରେ ଏହା ପ୍ରବେଶ କରି ତାଣ୍ଡବ ରଚିଥିଲା। ପୂର୍ବରୁ ଦେଶରେ ଆଲଫା ଭାରିଏଣ୍ଟର ଦବାଦବା ଥିବା ବେଳେ ଡେଲ୍ଟା ଭାରିଏଣ୍ଟ ଖୁବ କମ ସମୟରେ ଏହାର ସ୍ଥାନ ନେଇ ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।