କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମିଶ୍ରଣ ପର୍ବ ଓ ଦଳବଦଳ ରାଜନୀତି ଜାରି ରହିଛି। ଏହିକ୍ରମରେ ଆଜି ଭେଟେରାନ ବେଙ୍ଗଲୀ ଅଭିନେତା ଦୀପଙ୍କର ଦେ କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି। କୋଲକାତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ଓ ଅଭିନେତାରୁ ନେତା ହୋଇଥିବା ବ୍ରତୟା ବାସୁ ପ୍ରମୁଖ ଉପସ୍ଥିତ ଥିଲେ।
ସତ୍ୟଜିତ ରୟଙ୍କ ଫିଲ୍ମ ସୀମାବଦ୍ଧରୁ କ୍ୟାରିୟର ଆରମ୍ଭ କରିଥିବା ଦୀପଙ୍କର ଦେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କର ଜଣେ ବଡ଼ ସମର୍ଥକ। ଏକାଧିକ ବ୍ୟବସାୟିକ ଓ ଆର୍ଟ ଫିଲ୍ମରେ ଅଭିନୟ କରିଥିବା ଦୀପଙ୍କର କହିଛନ୍ତି, “ମୁଁ ଦୀର୍ଘ ସମୟ ବର୍ଷ ହେଲା ଟିଏମସିର ସମର୍ଥକ ଭାବେ ରହିଥିଲି।
ଆମ ମୁଖ୍ୟମନ୍ତ୍ରୀ ମୋତେ ବଙ୍ଗ ଭୂଷଣ ଓ ବଙ୍ଗ ବିଭୂଷଣ ଭଳି ସମ୍ମାନରେ ସମ୍ମାନୀତ କରିଛନ୍ତି। ମୁଁ କେବେ ହେଲେ ତୃଣମୂଳ କଂଗ୍ରେସ ପ୍ରତି ଅନ୍ୟାୟ କିମ୍ବା ଧୋକା କରିପାରିବି ନାହିଁ। ମୁଁ ଜାଣିଛି ଟିଏମସି ଆଗାମୀ ବିଧାନସଭା ନିର୍ବାଚନ ନିଶ୍ଚିତ ଜିତିବ।”
ଦୀପଙ୍କରଙ୍କ ବ୍ୟତୀତ ଟିଭି ଅଭିନେତା ଭାରତ କୌଲ, ଲଭଲୀ ମିତ୍ର ଓ ସଂଗୀତଜ୍ଞ ଉସ୍ତାଦ ରଶିଦ ଖାନଙ୍କ ଝିଅ ଶାହୋନା ଖାନ ମଧ୍ୟ ଆଜି ଟିଏମସିରେ ସାମିଲ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।