ଟିକା ନେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଦେଶର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଚେନ୍ନାଇରେ ଥିବା ସରକାରୀ ମେଡିକାଲ କଲେଜ୍ରେ ଟିକା ନେବା ପରେ ଦେଶବାସୀଙ୍କୁ ଅଧିକ ସଂଖ୍ୟାରେ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି।
ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ଉପ ରାଷ୍ଟ୍ରପତିଙ୍କୁ ଆସନ୍ତା ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ସେ ହସ୍ପିଟାଲରେ ଟିକାର ନେବା ବେଳର ଫଟୋ ଶେୟାର କରିଛନ୍ତି। ଏଥିସହ କହିଛନ୍ତି, “ଆଜି କରୋନା ଟିକାର ପ୍ରଥମ ଡୋଜ୍ ମୁଁ ଚେନ୍ନାଇର ସରକାରୀ ମେଡିକାଲ କଲେଜ୍ରେ ନେଇଛି। ଆଉ ୨୮ ଦିନ ପରେ ମୁଁ ଟିକାର ଦ୍ୱିତୀୟ ଡୋଜ୍ ନେବି। ଏହି ବର୍ଗରେ ଆସୁଥିବା ଲୋକମାନେ ନିଜ ଆଡୁ ଟିକା ନେବାକୁ ଆଗକୁ ଆସନ୍ତୁ। ସେହିପରି କରୋନା ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇରେ ନିଜକୁ ସାମିଲ କରନ୍ତୁ।”
I took my first dose of COVID-19 vaccine at Government Medical College, Chennai today.
I will be taking the 2nd dose after 28 days.
I appeal to all the eligible people to get themselves vaccinated proactively and join in the fight against novel coronavirus. pic.twitter.com/mfA1xJXiGg
— Vice President of India (@VPSecretariat) March 1, 2021
ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସରେ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିଲେ। ସେ ମଧ୍ୟ ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଥିଲେ। ଦେଶରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୪୫ ବର୍ଷ ବୟସରୁ ଅଧିକ ବୟସ୍କ ବହୁବିଧ ରୋଗୀଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।