ହାଜତ ମୃତ୍ୟୁ: ବନ୍ଧା ହେଲେ ଦୁଇ ପୁଲିସ୍‌ କର୍ମଚାରୀ

ଚେନ୍ନାଇ: ବିଗ୍ନେଶ ନାମକ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ଚେନ୍ନାଇ କ୍ରାଇମବ୍ରାଞ୍ଚ-କ୍ରାଇମ ଇନଭେଷ୍ଟିଗେଟିଭ ଡିର୍ପାଟମେଣ୍ଟ (ସିବି-ସିଆଇଡି) ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ପୁଲିସ କର୍ମଚାରୀ ହେଲେ ମୁନାଫ ଓ ପୋନରାଜ। ଉଭୟଙ୍କ ନାଁରେ ଧାରା ୩୦୨ରେ ମାମଲା ରୁଜୁ କରାଯାଇଛି।

୨୫ ବର୍ଷୀୟ ବିଗ୍ନେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଶୁକ୍ରବାର ଆସିବା ପରେ ହିଁ ଏପରି ପଦକ୍ଷେପ ନିଆଯାଇଛି। ପ୍ରଥମେ ଏହାକୁ ଏକ ଅପମୃତ୍ୟୁ ମାମଲା ଭାବେ ବିବେଚନା କରାଯାଉଥିଲା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ରହିଥିଲା। ବିଗ୍ନେଶଙ୍କ ଶରୀରରେ ୧୩ଟି କ୍ଷତଚିହ୍ନ ରହିଥିବା ଜଣାପଡ଼ିବା ପରେ ସିବି-ସିଆଇଡି ହତ୍ୟା ମାମଲା ରୁଜୁ କରିଥିଲା।

ବିଗ୍ନେଶଙ୍କ ମୃତ୍ୟୁକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ପୁଲିସ୍‌ ତାଙ୍କୁ ହାଜତରେ ପିଟିପିଟି ମାରି ଦେଇଥିବାରୁ ପରିବାର ଲୋକ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହାପରେ ହିଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟଣାର ତଦନ୍ତ ଦାୟିତ୍ୱ ସିବି-ସିଆଇଡିକୁ ଦେଇଥିଲେ। ସିବି-ସିଆଇଡି ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ସମନ କରିଥିଲା। ଶୁକ୍ରବାର ଜେରା କରିବା ପରେ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଛି। ଆଗକୁ ଆହୁରି ଗିରଫଦାରୀର ସମ୍ଭାବନା ମଧ୍ୟ ରହିଛି।

ଏପ୍ରିଲ ୧୮ ତାରିଖରେ ବାଇକ ଚେକିଂ ବେଳେ ବିଗ୍ନେଶ ଓ ସୁରେଶଙ୍କୁ ଚେନ୍ନାଇ ପୁଲିସ୍‌ ଗିରଫ କରିଥିଲା। ବିଗ୍ନେଶ ଓ ସୁରେଶ ଯାଉଥିବା ଅଟୋରୁ ଗଞ୍ଜେଇ ଓ ମଦ ବାହାରିଥିବା ପୁଲିସ୍‌ ଅଭିଯୋଗ କରିଛି। ଏ ସମ୍ପର୍କରେ ବିଗ୍ନେଶଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ଫଳରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେଠାରୁ ଉଭୟଙ୍କୁ ସେକ୍ରେଟେରିଏଟ କୋଲନୀ ପୁଲିସ୍‌ ଷ୍ଟେସନକୁ ନିଆଯାଇଥିଲା। ତେବେ ୧୯ ତାରିଖରେ ବିଗ୍ନେଶଙ୍କ ମୃତ୍ୟୁ ହୋଇଯିବାରୁ ବିବାଦ ଦେଖାଯାଇଥିଲା। ଘଟଣା ପରେ ଜଣେ ସବ ଇନସପେକ୍ଟର, ଜଣେ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ବିବାଦ ବଢ଼ିବାରୁ ସିବି-ସିଆଇଡିକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।