ଡେରାଡୁନ: ଧର୍ମ ସଂସଦରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ହିଂସାକାଣ୍ଡ ଘଟାଇବାକୁ ଉସକାଯାଇଛି। ଧର୍ମ ସଂସଦର ବକ୍ତାମାନେ ଲୋକଙ୍କୁ ମୁସଲିମଙ୍କ ବିରୋଧରେ ହିଂସା ଘଟାଇବାକୁ କହିବା ସହ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଲଢ଼େଇ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି ବିବାଦୀୟ ଓ ହିଂସା ସୃଷ୍ଟି କରିବା ଭଳି ବୟାନର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପୁଲିସ୍ କେବଳ ଚୁପ ରହିଛି।
ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା ୩ ଦିନିଆ ଧର୍ମ ସଂସଦରେ ଏପରି ଘଟଣା ଘଟିଛି। ସୋମବାର ଶେଷ ହୋଇଥିବା ଧର୍ମ ସଂସଦର ଆୟୋଜକ ଓ ବକ୍ତାଙ୍କ ବିରୋଧରେ ଟିଏମସି ନେତା ତଥା ଆରଟିଆଇ କର୍ମୀ ସକେତ ଗୋଖେଲ ପୁଲିସରେ ଏଫଆଇଆର ଦେଇଛନ୍ତି।
କିନ୍ତୁ କାର୍ଯ୍ୟକ୍ରମ ଶେଷ ହେବାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଉସକାଇବା ଭଳି ବୟାନ ଦେଇଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ପୁଲିସ୍ କହିଛି ଯେ ବିବାଦୀୟ ବୟାନକୁ ନେଇ କୌଣସି ପ୍ରକାରର ଏଫଆଇଆର ହୋଇନି। କାରଣ କେହି ବି ଏହା ବିରୋଧରେ ବିଧିବଦ୍ଧ ଅଭିଯୋଗ କରିନାହାନ୍ତି। ପୁଲିସ୍ ଘଟଣାର ଅନୁଧ୍ୟାନ କରୁଥିବା ହରିଦ୍ୱାର ଏସପି ସ୍ୱତନ୍ତ୍ର କୁମାର ସିଂହ କହିଛନ୍ତି।
ଏହି ୩ ଦିନିଆ ଧର୍ମ ସଂସଦର ଆୟୋଜନ ୟାତି ନରସୀମାନନ୍ଦ କରିଥିଲେ। ପୂର୍ବରୁ ଏହି ଧର୍ମଗୁରୁ ଜଣଙ୍କ ଅନେକ ବିବାଦୀୟ ବୟାନ ଦେବାର ନଜିର ରହିଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ରକ୍ଷା ସେନାର ପ୍ରବୋଧାନନ୍ଦ ଗିରି, ବିଜେପିର ମହିଳା ୱିଙ୍ଗ ନେତ୍ରୀ ଉଦିତା ତ୍ୟାଗୀ ଓ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଶ୍ୱିନୀ ନିକଟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଘଟଣାରେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି।
ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓରେ ଗିରି ହିନ୍ଦୁମାନେ ଯେମିତି ହେଲେ ଅସ୍ତ୍ରଶସ୍ତ୍ର ଉଠାଇବା ଦରକାର ବୋଲି କହୁଥିବା ଶୁଣିବାକୁ ମିଳୁଛି। ଘଟଣା ପରେ ସେ କହିଛନ୍ତି, “ମୁଁ ଯାହା କହିଛି ସେଥିପାଇଁ ଆଦୌ ଅନୁତପ୍ତ ନୁହେଁ। ପୁଲିସ୍କୁ ନେଇ ମୁଁ ଭୟଭୀତ ନୁହେଁ। ମୁଁ ମୋ ବୟାନରେ କାଏମ ରହିଛି।”
ଗିରି ଅନେକ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବିଜେପି ନେତାଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥାଏ। ଗୋଟିଏ ଫଟୋରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଗିରିଙ୍କ ପାଦ ଛୁଇଁଥିବା ସାମ୍ନାକୁ ଆସିଛି।
I've filed a complaint with SHO, Jwalapur PS in Haridwar against the #HaridwarHateAssembly conducted from 17th-20th December at Ved Niketan Dham.
Failing the registration of an FIR against the organizers & speakers in 24 hrs, a plaint shall be made to the Judicial Magistrate. https://t.co/hnUdNiurve pic.twitter.com/Xgv6FCu3ZM
— Saket Gokhale (@SaketGokhale) December 23, 2021
ଉକ୍ତ ବିବାଦୀୟ ଧର୍ମ ସଂସଦର ଆଉ ଗୋଟିଏ ଭିଡିଓରେ ପୂଜା ପାଣ୍ଡେ ଓରଫ ସାଧ୍ୱୀ ଅନ୍ନପୂର୍ଣ୍ଣା ଅସ୍ତ୍ର ଉଠାଇବାକୁ ଲୋକଙ୍କୁ କହିବା ସହ ମୁସଲିଙ୍କ ବିରୋଧରେ ହିଂସା ଘଟାଇବାକୁ ପ୍ରବର୍ତ୍ତାଉ ଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, “ଭାରତର ସମ୍ବିଧାନ ଭୁଲ। ଭାରତୀୟମାନେ ନାଥୁରାମ ଗଡେସଙ୍କୁ ପୂଜା କରିବା ଦରକାର। ମୁଁ ବି ପୁଲିସ୍କୁ ଡରେନି।”
ପୂଜା କିମ୍ବା ଗିରି ନୁହନ୍ତ ସ୍ୱାମୀ ଧର୍ମ ଦାସ ମହାରାଜ ମଧ୍ୟ ବିବାଦୀୟ ବୟାନ ଦେଇ ହିନ୍ଦୁ ରାଷ୍ଟ୍ରଗଠନ କରିବାକୁ ଲଢ଼େଇ ଆରମ୍ଭ ହେବା ଦରକାର ବୋଲି କହିଛନ୍ତି। ତେବେ ଧର୍ମ ସଂସଦ ନାଁରେ ଏପରି ବୟାନ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ଭାବେ ନିନ୍ଦା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।