କାଲି ଗୋଟିଏ ଦିନରେ ୪୭୫ଟି ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଚଳିତ ନିର୍ବାଚନୀ କ୍ୟାଲେଣ୍ଡର୍‌ର ସବୁଠାରୁ ବ୍ୟସ୍ତ ବହୁଳ ଓ ଗୁରୁତ୍ୱପୂର୍ଣ୍ଣ ଭୋଟିଂ ଦିବସ ହେଉଛି ଏପ୍ରିଲ ୬। କାରଣ ଆସନ୍ତାକାଲି ଗୋଟିଏ ଦିନରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୪୭୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ମଙ୍ଗଳବାର ତାମିଲନାଡୁର ୨୩୪, କେରଳର ୧୪୦, ଆସାମର ୪୦, ପଶ୍ଚିମବଙ୍ଗର ୩୧ ଓ ପୁଡୁଚେରୀର ୩୦ଟି ଆସନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ। ବିଧାନସଭା ବ୍ୟତୀତ ଆସନ୍ତାକାଲି ମାଲାପୁରମ ଓ […]

vote

vote

Hemant Lenka
  • Published: Monday, 05 April 2021
  • Updated: 05 April 2021, 10:32 PM IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନୀ କ୍ୟାଲେଣ୍ଡର୍‌ର ସବୁଠାରୁ ବ୍ୟସ୍ତ ବହୁଳ ଓ ଗୁରୁତ୍ୱପୂର୍ଣ୍ଣ ଭୋଟିଂ ଦିବସ ହେଉଛି ଏପ୍ରିଲ ୬। କାରଣ ଆସନ୍ତାକାଲି ଗୋଟିଏ ଦିନରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୪୭୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।

ମଙ୍ଗଳବାର ତାମିଲନାଡୁର ୨୩୪, କେରଳର ୧୪୦, ଆସାମର ୪୦, ପଶ୍ଚିମବଙ୍ଗର ୩୧ ଓ ପୁଡୁଚେରୀର ୩୦ଟି ଆସନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ। ବିଧାନସଭା ବ୍ୟତୀତ ଆସନ୍ତାକାଲି ମାଲାପୁରମ ଓ କନ୍ୟାକୁମାରୀ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ।

ବେଙ୍ଗଲରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆସାମରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ସେହିପରି ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ଦିନରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

ତାମିଲନାଡୁ

ତାମିଲନାଡୁରେ ଏଆଇଏଡିଏମକେ ହ୍ୟାଟ୍ରିକ କରୁଛି ନା ଡିଏମକେ କ୍ଷମତା ଦଖଲ କରୁଛି, କାଲି ରାଜ୍ୟବାସୀ ଏହାର ନିଷ୍ପତ୍ତି ନେବେ। ରାଜ୍ୟର ୨୩୪ଟି ବିଧାନସଭା ଆସନ ପାଇଁ ୩,୯୯୮ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ୬.୨୮ କୋଟି ଭୋଟର ଆସନ୍ତାକାଲି ସବୁ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ କରିବେ।

ଏଆଇଏଡିଏମକେ ସହ ବିଜେପି, ପିଏମକେ ଓ ଅନ୍ୟ କିଛି ରାଜନୀତିକ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଡିଏମକେ ସହ କଂଗ୍ରେସ ଓ ଆଉ ୧୧ଟି ଦଳ ରହିଛନ୍ତି। ଏହାବାଦ କମଲ ହାସନଙ୍କ ଏମଏନଏମ ଓ ଟିଟିଭି ଦିନାକରନଙ୍କ ଏଏମଏମକେ ମଧ୍ୟ କିଛି ଆଞ୍ଚଳିକ ପାର୍ଟି ସହ ମେଣ୍ଟ କରି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

କେରଳ

୧୯୮୦ରୁ କେରଳରେ ସିପିଆଇଏମ ନେତୃତ୍ୱାଧୀନ ଏଲଡିଏଫ ଓ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୫ ବର୍ଷ ଲେଖାଏ ଶାସନ କରି ଆସୁଛନ୍ତି। ହେଲେ କୌଣସି ମେଣ୍ଟ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ଦଖଲ କରିନାହାନ୍ତି। ତେଣୁ ଏଥର ଶାସକ ଏଲଡିଏଫ ପୁଣି କ୍ଷମତା ଦଖଲ କରିପାରୁଛି କି ନାହିଁ, ତା’ର ଫୈସଲା ଆସନ୍ତାକାଲି ଭୋଟର କରିବେ। ୧୪୦ଟି ବିଧାନସଭା ଆସନ ପାଇଁ ୯୫୭ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ୨.୭୪ କୋଟି ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ପଶ୍ଚିମବଙ୍ଗ
ବେଙ୍ଗଲରେ କାଲି ୩ୟ ପର୍ଯ୍ୟାୟରେ ୩୧ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଗ୍ରାମୀଣ ହାୱଡା, ସୁନ୍ଦରବନ ରିଜନ, ଡାଇମଣ୍ଡ ହାର୍ବର, ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର ବେଲ୍ଟସ ଓ ହୁଗୁଳି ଜିଲ୍ଲାର କିଛି ଅଂଶରେ ଆସନ୍ତାକାଲି ମତଦାନ ହେବ। ଏହି ୩୧ଟି ଆସନରୁ ଗତ ନିର୍ବାଚନରେ ଶାସକ ଟିଏମସି ଅଧିକାଂଶ ସ୍ଥାନରେ ବିଜୟୀ ହୋଇଥିଲା।

ଏହି ପର୍ଯ୍ୟାୟରେ ମୋଟ ୨୦୫ ଜଣ ପ୍ରାର୍ଥୀ ରହିଛନ୍ତି। ୭୮,୫୨,୪୨୫ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୩୧ଟି ଆସନ ମଧ୍ୟରେ ଦକ୍ଷିଣ ୨୪ ପ୍ରଗଣାର ୧୬ଟି ଆସନ ରହିଛି। ଏହି ୧୬ଟି ନିର୍ବାଚନ ମଣ୍ଡଳୀ ମେ’ ମାସରେ ବାତ୍ୟା ଅମ୍ପାନ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲା।

ଆସାମ

ଆସାମରେ ଆସନ୍ତାକାଲି ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ୩୩୭ ଜଣ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ବିଜେପି ହେଭିୱେଟ ହିମନ୍ତ ବିଶ୍ୱଶର୍ମା, ୬ ଜଣ କ୍ୟାବିନେଟ ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ରଣଜୀତ କୁମାର ଦାସ ରହିଛନ୍ତି।

ପୁଡୁଚେରୀ

ପୁଡୁଚେରୀରେ ମଧ୍ୟ ୩୦ଟି ଆସନ ପାଇଁ ଆସନ୍ତାକାଲି ଭୋଟ ହେବ। କଂଗ୍ରେସ ଏଠାରେ କ୍ଷମତା ଦଖଲ କରିଥିଲା। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପୂର୍ବରୁ କଂଗ୍ରେସର ଏକାଧିକ ବିଧାୟକ ଇସ୍ତଫା ଦେବାରୁ ସରକାର ଭାଙ୍ଗି ଯାଇଥିଲା। ତେଣୁ ଏଥର କଂଗ୍ରେସ କ୍ଷମତା ପୁଣି ଦଖଲ କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୪,୭୨,୬୫୦ ଜଣ ପୁରୁଷ, ୫,୩୧,୪୩୧ ଜଣ ମହିଳା ଓ ୧୧୬ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। ଏହାର ଅର୍ଥ ୧୦,୦୪,୧୯୭ ଜଣ ଭୋଟର ୩୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos