ଲକ୍ଷ୍ନୌ: ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଗତକାଲି ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ୍ ୭୫ଟି ଆସନରୁ ବିଜେପି ୬୭ଟି ଆସନରେ ବିଜୟୀ ହୋଇ ବିଜୟର ବାନା ଉଡାଇଥିବା ବେଳେ ସମାଜବାଦୀ ପାର୍ଟି ୪ଟି ଏବଂ ବାକି ଆସନ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ କୌଣସି ଆସନରେ ବିଜୟୀ ନହୋଇ ସନ୍ତୁଷ୍ଚ ହୋଇଛି। ତେବେ ଶନିବାର ଫଳାଫଳ ଘୋଷଣା ହେବା ପରେ ରବିବାର ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲାଲୁ କିନ୍ତୁ ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ଆସନ୍ତା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଢ଼ିବ। 'ବଦଲାବ କି ଆନ୍ଧୀ ହେ, ଜିସକା ନାମ ପ୍ରିୟଙ୍କା ଗାନ୍ଧୀ ହେ' ବୋଲି ଅଜୟ କୁମାର ଲାଲୁ ନାରା ଦେଇଛନ୍ତି।
ୟୁପି କଂଗ୍ରେସ ସଭାପତି କହିଛନ୍ତି, କଂଗ୍ରେସ ସମାଜବାଦୀ ପାର୍ଟି କିମ୍ବା ବିଏସପି ସହ ମିଶି ନିର୍ବାଚନ ଲଢ଼ିବ ନାହିଁ। ଏକା ବିଜେପି ବିରୋଧରେ ଲଢ଼େଇ କରିବ। ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ନେତୃତ୍ୱରେ ତାଙ୍କ ଦଳ ଯୋଗୀ ସରକାରଙ୍କୁ କ୍ଷମତାରୁ ହଟାଇବ। ରାଜ୍ୟରେ ଏବେ “ପରିବର୍ତ୍ତନର ହାଓ୍ୱା” ବୋହିବା ଆରମ୍ଭ କରିଛି।
ସେ କହିଛନ୍ତି ଯେ ୪୦୩ ବିଧାନସଭା ଆସନରେ ଏବେ ୪୯ ଜଣ ବିଧାୟକ ସମାଜବାଦୀ ପାର୍ଟିର ରହିଥିବା ବେଳେ କଂଗ୍ରେସର କେବଳ ପାଞ୍ଚ ଜଣ ବିଧାୟକ ରହିଛନ୍ତି। ହେଲେ କଂଗ୍ରେସର ୫ ବିଧାୟକ ସମାଜବାଦୀ ଦଳର ବିଧାୟକଙ୍କ ତୁଳନାରେ ଅଧିକ ପ୍ରଭାବଶାଳୀ ବିଧାନସଭାରେ।
ୟୁପି ନିର୍ବାଚନ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଲଢ଼ିବ। ହେଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ପ୍ରିୟଙ୍କା ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ଅଜୟ କହିଛନ୍ତି ଏହା ଦଳର ହାଇକମାଣ୍ଡ ସ୍ଥିର କରିବେ।
ଯଦି ଏସପି, ବିଏସପି ଏବଂ କଂଗ୍ରେସ ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ଭୋଟ୍ ବିଭାଜିତ ହେବ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ଲାଲୁ କହିଛନ୍ତି ଯେ ରାଜ୍ୟର ଅନ୍ୟ ସମସ୍ତ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ଲୋକମାନେ ସୁଯୋଗ ଦେଇଛନ୍ତି। କିନ୍ତୁ ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ବିଶ୍ୱାସ ଅନୁଯାୟୀ କାମ କରିବାରେ ବିଫଳ ହୋଇଛନ୍ତି। ଏବେ କଂଗ୍ରେସର ପାଳି। ଲୋକମାନେ କଂଗ୍ରେସକୁ ଆଶୀର୍ବାଦ ଦେବେ ବୋଲି ସେ ବିଶ୍ୱାସ ରଖିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ ଲକ୍ଷ ଭୋଟ୍ ପାଇଥିଲା ଏବଂ ବିଧାନସଭା ନିର୍ବାଚନରେ ୫୧ ଲକ୍ଷ ଭୋଟ୍ ପାଇଥିଲା, କିନ୍ତୁ ପଞ୍ଚାୟତ ନିର୍ବାଚନରେ ଦଳ ୧, ୫୨,୦୦,୦୦୦ ଭୋଟ୍ ପାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୟୁୁପି ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୀତିକ ଦଳ ଏବେ ପାଗ ଭିଡିବା ଆରମ୍ଭ କରି ଦେଇଛନ୍ତି। ବିଜେପି ରାଜ୍ୟରେ ଅପନା ଦଳ ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଥିବା ବେଲେ ସମାଜବାଦୀ ପାର୍ଟି ଓ ଆମ୍ ଆଦମୀ ପାର୍ଟି ଏକାଠି ହୋଇ ନିର୍ବାଚନ ଲଢ଼ିପାରନ୍ତି। ଆଜି ଆପ୍ ନେତା ସଞ୍ଜୟ ସିଂହ ଏସପି ମୁଖିଆ ଅଖିଳେଶଙ୍କୁ ଭେଟିବା ପରେ ମେଣ୍ଟ ନେଇ ଚର୍ଚ୍ଚା ହେଉଛି। ତେବେ ବିଏମପି ମଧ୍ୟ ଏକାକୀ ଲଢ଼ିବ ବୋଲି କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।