ଜୀବନ ଥିଲା ଯାଏଁ ବିଜେପିରେ ମିଶିବିନି: ନୀତୀଶ

ପାଟନା: ବିଜେପିର ହାତ ଛାଡିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଶାନା। ସିଧା ସିଧା କହିଛନ୍ତି ନୀତୀଶ, ଜୀବନ ଥିଲା ଯାଏଁ ବିଜେପିରେ ଆଉ ମିଶିବେନି। ବିହାର ସମସ୍ତିପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତୀଶ କହିଛନ୍ତି, ବର୍ତ୍ତମାନ ଥିବା ସରକାର ନା କାହା ସହ ଆଲୋଚନା କରୁଛନ୍ତି ନା କାହା କଥା ଶୁଣୁଛନ୍ତି। କେଉଁ ରାଜ୍ୟର ବିକାଶ ବି କରୁନାହାନ୍ତି। ଏହାପୂର୍ବରୁ ଯେଉଁମାନେ ଥିଲେ ସେମାନେ କେତେ କାମ କରୁଥିଲେ ବୋଲି କହିଛନ୍ତି ନୀତୀଶ।

ନୀତୀଶ କହିଛନ୍ତି, ଅଟଳ ବିହାରୀ ବାଜପେୟୀ, ଆଡଭାନୀ, ଯୋଶୀ ଭଳି ନେତା କାମ କରୁଥିଲେ। ଏହି ଦଳର ଅସଲ ନେତା ସେମାନେ ଥିଲେ, ସେମାନେ ଦଳକୁ ଗଢିଥିଲେ। ଏବେ ସେ ଦଳ ଛାଡିଛନ୍ତି ଏବଂ ସାରା ଜୀବନ ଆଉ ସାଥ୍ ଦେବେନି ବୋଲି ପରୋକ୍ଷରେ ବିଜେପିକୁ କଟାକ୍ଷ କରି କହିଛନ୍ତି ନୀତୀଶ କୁମାର। ଏପରିକି ସମାଜସେବା ଓ ଦେଶର ବିକାଶ ଚାହୁଁଥିବା ସମସ୍ତ ଦଳ ଏକାଠି ହୋଇ ଦେଶର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି।

ବିଜେପିକୁ ଟାର୍ଗେଟ କରିବା ସହ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ। କହିଛନ୍ତି, ଲାଲୁଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଯେତେଦିନ ଯାଏଁ ବିଜେପି ସହ ଥିଲେ ଲାଲୁଙ୍କ ବିରୋଧରେ କୌଣସି ମାମଲା ହେଉନଥିଲା। ସେ ଯେବେ ଆରଜେଡି ସହ ମିଶିଲେ ଲାଲୁଙ୍କ ବିରୋଧରେ ମାମଲା କରାଯାଉଛି ବୋଲି କହିଛନ୍ତି ନୀତୀଶ।

ଏହାପୂର୍ବରୁ ୨୦୨୪ସାଧାରଣ ନିର୍ବାଚନ ବେଳେ ସବୁ ବିରୋଧୀ ଦଳ ଏକାଠି ହୋଇ ଲଢିବା  ଉଚିତ ବୋଲି କହିଥିଲେ ନୀତୀଶ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।