କୃଷି ଆଇନ: କିଏ ନେଇଛି ୟୁ-ଟର୍ଣ୍ଣ? କଂଗ୍ରେସ ନା ବିଜେପି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କୃଷି ଆଇନ ଆଣିବାକୁ ଚାହୁଁଥିଲା। କଂଗ୍ରେସ ଯେଉଁ କାମ କରିପାରି ନଥିଲା, ସେ କାମ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କରିଛନ୍ତି। ଚାଷୀଙ୍କ ଉନ୍ନତି ପାଇଁ କୃଷି ଆଇନ ଅଣାଯାଇଛି। ତଥାପି କଂଗ୍ରେସ ଏହାକୁ କାହିଁକି ବିରୋଧ କରୁଛି ଓ ୟୁ-ଟର୍ଣ୍ଣ ନେଉଛି ବୋଲି ବିଜେପି ପ୍ରଶ୍ନ କରୁଛି।

ସେହିପରି ଶିଳ୍ପପତିଙ୍କୁ ଫାଇଦା ଦେବାକୁ ବିଜେପି ନେତୃତ୍ୱାଧୀନ ସରକାର କୃଷି ଆଇନ ଆଣିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏସବୁ ଭିତରେ ସଂସଦରେ କୃଷି ଆଇନ ପ୍ରସଙ୍ଗରେ କଂଗ୍ରେସ କାହିଁକି ୟୁ-ଟର୍ଣ୍ଣ ନେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନବାଣ କରି ଘେରିଥିବା ବେଳେ ଏହାର ଜବାବ ଜୟରାମ ରମେଶ ଦେଇଛନ୍ତି।

କଂଗ୍ରେସ ନେତା ଜୟ ରାମ ରମେଶ ଟ୍ୱିଟ କରି କହିଛନ୍ତି, ୨୦୧୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଖାଉଟି ବ୍ୟାପାର ୱାର୍କିଂ କମିଟିର ଅଧ୍ୟକ୍ଷ ଥିଲେ। ସେତେବେଳେ ସେ ଭାରତ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ଦେଇଥିଲେ। ଏଥିରେ ସେ କହିଥିଲେ ଯେ ଆମେ ସମସ୍ତେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷାକୁ ଗୁରୁତ୍ୱ ଦେବା ଦରକାର।

ଚାଷୀଙ୍କ ଠାରୁ ବ୍ୟବସାୟୀମାନେ ଯେମିତି ଧାର୍ଯ୍ୟ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ ଦାମରେ ସାମଗ୍ରୀ କିଣି ପାରିବେ ନାହିଁ, ସେଥିପାଇଁ ଗୋଟିଏ ଆଇନ ବା ବୈଧାନିକ ବ୍ୟବସ୍ଥା ପ୍ରଣୟନ କରିବା ଦରକାର।

ଏହି ୟୁ-ଟର୍ଣ୍ଣରମାନେ କ’ଣ ମ୍ୟାଡମ? ବୋଲି ଜୟ ରାମ ରମେଶ ପ୍ରଶ୍ନ କରିଛନ୍ତି। ଏଥିସହ ମୋଦି ସେତେବେଳେ ସରକାରଙ୍କୁ ଦେଇଥିବା ପ୍ରସ୍ତାବର ସ୍କ୍ରିନ ଶଟ୍‌ ମଧ୍ୟ ଟ୍ୱିଟର୍‌ରେ ଶେୟାର କରିଛନ୍ତି।

ଏହାପୂର୍ବରୁ ସଂସଦରେ କୃଷି ଆଇନ ପ୍ରସଙ୍ଗରେ କହିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ମୁଁ କଂଗ୍ରେସ ଠାରୁ ଜାଣିବାକୁ ଚାହୁଁଛି ଯେ ସେମାନେ କାହିଁକି କୃଷି ଆଇନ ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଉଛନ୍ତି? ତଥାପି କିଛି ବି ପ୍ରତିକ୍ରିୟା ମିଳୁନି।


କଂଗ୍ରେସ କ୍ଷମତାରେ ଥିବା ବେଳେ ସମାନ ବ୍ୟବସ୍ଥା ଥିବା କୃଷି ଆଇନ ଆଣିବାକୁ ଉଦ୍ୟମ କରିଥିଲା। ଏଥିସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ଥିବା ବେଳେ କାହିଁକି ଚାଷୀଙ୍କ ଋଣ ଛାଡ଼ିବାକୁ ପ୍ରତିଶ୍ରୁତି ଦେଇ ପୂରଣ କଲା ନାହିଁ ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧି ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “କୃଷି ଆଇନ ଲାଗୁ ହେବା ପରେ କ’ଣ ମଣ୍ଡି ବନ୍ଦ ହୋଇଯିବ? ଶ୍ରୀ ଗାନ୍ଧି ମଣ୍ଡି ବନ୍ଦ ହୋଇଯିବା ଭଳି ବୟାନ ଦେଇଛନ୍ତି। କୃଷି ଆଇନ ଦ୍ୱାରା ମଣ୍ଡି ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ଓ ବିକଶିତ ହେବ। ରାହୁଲ ଗାନ୍ଧି ତାଙ୍କ ବୟାନ ଜରିଆରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି। ସେ ନିୟମିତ ମିଛ କହି ଦେଶକୁ ଅପମାନିତ କରିଚାଲିଛନ୍ତି ବୋଲି ସୀତାରମଣ କହିଥିଲେ।

ତେବେ ସୀତାରମଣଙ୍କ ଏହି ୟୁ-ଟର୍ଣ୍ଣର ଜବାବ ଜୟରାମ ରମେଶ ଟ୍ୱିଟ କରି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।