ସିଦ୍ଧୁଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ବଡ଼ ବୟାନ ଦେଲେ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ହଟଚମଟ ଆଜି ନୂଆ ଟ୍ୱିଷ୍ଟ ଆସିଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ନବଜୋତ ସିଂହ ସିଦ୍ଧୁ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପଞ୍ଜାବ ମୁଖିଆ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସିଦ୍ଧୁ ଖୁସି ନଥିବାରୁ ଆଜି ଇସ୍ତଫା ଦେଇଥିବା କୁହାଯାଉଛି। ଏହାକୁ ନେଇ ବୟାନବାଜୀ ଚାଲିଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି।

ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତିତ୍ୱ ନୁହନ୍ତି ବୋଲି କ୍ୟାପ୍ଟେନ ଦୋହରାଇବା ସହ ତେର୍ଚ୍ଛାବାଣ ମାରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ମୁଁ ଆପଣମାନଙ୍କୁ ଏକଥା କହିଥିଲି। ସେ ଜଣେ ସ୍ଥିର ବ୍ୟକ୍ତି ନୁହନ୍ତି। ସେ ପଞ୍ଜାବ ଭଳି ସୀମାନ୍ତ ରାଜ୍ୟ ପାଇଁ ସିଦ୍ଧୁ ଆଦୌ ଯୋଗ୍ୟ ନୁହନ୍ତି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଅମରିନ୍ଦର ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବାର ରହିଛି। ସେ ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଅମରିନ୍ଦରଙ୍କ ଘନିଷ୍ଠ ସହଯୋଗୀ ରବୀନ ଠୁକରାଲ ଅନ୍ୟ କିଛି କହିଛନ୍ତି।

ସେ କହିଛନ୍ତି, କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଦିଲ୍ଲୀ ଗସ୍ତକୁ ନେଇ ବେଶ ଚର୍ଚ୍ଚା ହେଉଛି। ତାଙ୍କର ଦିଲ୍ଲୀ ଗସ୍ତ ସଂପୂର୍ଣ୍ଣ ବ୍ୟକ୍ତିଗତ। ସେ ଦିଲ୍ଲୀରେ ତାଙ୍କର କିଛି ବନ୍ଧୁଙ୍କୁ ଭେଟିବେ ଓ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାପୁରଥାଲା ଘର ଖାଲି କରିବେ। ଅନାବଶ୍ୟକ ଆକଳନ କରି ରିପୋର୍ଟ ପ୍ରକାଶ କରିବାର କାରଣ କିଛି ନାହିଁ ବୋଲି ସେ କହିଛନ୍ତି।


କିଛି ଦିନ ତଳେ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ହେବାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳରେ ସିଦ୍ଧୁଙ୍କ ଦବଦବା ବଢ଼ିଥିଲା। କିନ୍ତୁ ଦଳର ହାଇକମାଣ୍ଡ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାରୁ ସୁଦ୍ଧୁ ଖପ୍ପା ହୋଇଥିଲେ। ଏପରି କି ମନ୍ତ୍ରୀ ପରିଷଦ ଗଠନକୁ ନେଇ ମଧ୍ୟ ସେ ଖୁସି ନଥିଲେ। ତେଣୁ ଆଜି ସେ ସୋନିଆ ଗାନ୍ଧିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।