ଟିଏମସିରୁ ନିଲମ୍ବିତ ହେବା ପରେ ଏମିତି କହିଲେ ପାର୍ଥ ଚାଟାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବେଙ୍ଗଲର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗୁରୁବାର କ୍ଷମତାସୀନ ଟିଏମସି ଦଳରୁ ନିଲମ୍ବିତ କରିଛି। ଏବେ ଇଡି ହେପାଜତରେ ଥିବା ପାର୍ଥ ନିଲମ୍ବନ ପରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “କେବଳ ସମୟ ହିଁ ସବୁ କିଛି କହିବ।” ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ ବୈଠକ ପରେ ପାର୍ଥ ଚାଟାର୍ଜୀଙ୍କୁ ସମସ୍ତ ମନ୍ତ୍ରୀ ପଦରୁ ବିଦା କରିଥିଲେ। ଏହାପରେ ଟିଏମସି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରଥରଥର ପାଇଁ ପାର୍ଥ ଚାଟାର୍ଜୀ ଧାଡ଼ିକିଆ ପ୍ରତିକ୍ରିୟା ଦେଇଛନ୍ତି।

ଗତ ଶନିବାର ଠାରୁ ଗିରଫ ହୋଇଥିବା ପାର୍ଥଙ୍କୁ ଆଜି ମେଡିକାଲ ଚେକଅପ ପାଇଁ ନିଆ ଯାଇଥିଲା। ସେଠାରୁ ପୁଣିଥରେ ଇଡି ଅଫିସକୁ ଫେରିବା ବେଳେ ପାର୍ଥ ଧାଡ଼ିକିଆ ପ୍ରତିକ୍ରିୟା ଦେଇଛନ୍ତି।

ପାର୍ଥଙ୍କ ସହ ଏହି ସମୟରେ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ମଧ୍ୟ ରହିଥିଲେ। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରେ ପାର୍ଥଙ୍କ ସହ ଅର୍ପିତାଙ୍କର ମଧ୍ୟ ଭୂମିକା ଥିବା ଇଡି ସନ୍ଦେହ କରୁଛି। ଅର୍ପିତାଙ୍କ ଦୁଇଟି ଘରେ ଇଡି ରେଡ କରି ୫୦ କୋଟି ଟଙ୍କା ଓ ୫ କେଜିରୁ ଅଧିକ ସୁନା ମଧ୍ୟ ଜବତ କରିଛି। ଏବେ ଘଟଣାର ଅଧିକ ଖୋଳତାଡ଼ କାରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।