ନକ୍ସଲଙ୍କ ସହ ଏନକାଉଣ୍ଟର ବେଳେ କ’ଣ ଘଟିଥିଲା? ବିସ୍ତୃତ ତଥ୍ୟ ଦେଲେ ସିଆରପିଏଫ ଡିଜି

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ଘଟିଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି। କେମିତି ନକ୍ସଲମାନେ ଏତେ କ୍ଷତି ଘଟାଇବାକୁ ସକ୍ଷମ ହେଲେ? କ’ଣ ଗୁଇନ୍ଦା ବିଫଳତା ପାଇଁ ଏମିତି ଘଟିଲା କି? ନକ୍ସଲଙ୍କ ଚକ୍ରବ୍ୟୁହକୁ କେମିତି ବୁଝିପାରିଲେନି ସୁରକ୍ଷାକର୍ମୀ? ସେଦିନ ପ୍ରକୃତରେ କ’ଣ ଘଟିଥିଲା? ଏବେ ତା’ର ବିସ୍ତୃତ ସୂଚନା ଦେଇଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ ଗୁଇନ୍ଦା ବିଫଳତାକୁ ଅସ୍ୱୀକାର କରିଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ […]

CRPF

CRPF

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 05:19 PM IST

Sports

Latest News

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ଘଟିଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି। କେମିତି ନକ୍ସଲମାନେ ଏତେ କ୍ଷତି ଘଟାଇବାକୁ ସକ୍ଷମ ହେଲେ? କ’ଣ ଗୁଇନ୍ଦା ବିଫଳତା ପାଇଁ ଏମିତି ଘଟିଲା କି? ନକ୍ସଲଙ୍କ ଚକ୍ରବ୍ୟୁହକୁ କେମିତି ବୁଝିପାରିଲେନି ସୁରକ୍ଷାକର୍ମୀ? ସେଦିନ ପ୍ରକୃତରେ କ’ଣ ଘଟିଥିଲା? ଏବେ ତା’ର ବିସ୍ତୃତ ସୂଚନା ଦେଇଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ ଗୁଇନ୍ଦା ବିଫଳତାକୁ ଅସ୍ୱୀକାର କରିଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ଯୋଜନାବଦ୍ଧ ଭାବେ ନକ୍ସଲ ହମଲାର ଜବାବ ଦେଇଥିବା କଥା ମଧ୍ୟ କହିଛନ୍ତି।

ଡିଜି ଶ୍ରୀ ସିଂହଙ୍କ ତଥ୍ୟ ଅନୁସାରେ ଶନିବାର ଦିନ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଭୟଙ୍କର ମହାଯୁଦ୍ଧ। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା। କୋବ୍ରା, ଡିଆରଜି ଓ ଅନ୍ୟାନ୍ୟ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୪୫୦ ଯବାନ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ।

ଯବାନମାନେ ଜଙ୍ଗଲ ମଧ୍ୟରୁ ସର୍ଚ୍ଚ ଅପରେସନ କରି ଫେରୁଥିବା ବେଳେ ଟେକଲିଗୁଡ଼ମ ନିକଟରେ ଘଟିଥିଲା ଅଘଟଣ। ନକ୍ସଲମାନେ ପୂର୍ବରୁ ହିଁ ଏଠାରେ ଆମ୍ବୁସ ଲଗାଇ ରହିଥିଲେ। ସୁରକ୍ଷାକର୍ମୀଙ୍କୁ ୩ ପଟୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଥିଲେ। ପ୍ଲାନିଂ ଅପରେସନ ଥିବାରୁ ଯବାନମାନେ ମଧ୍ୟ ତୁରନ୍ତ ଏହାର ଜବାବ ଦେଇଥିଲେ।

ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରଥମେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ତା’ ଶବ ଆଣିବା ବେଳେ ହଠାତ୍‌ ଆକ୍ରମଣ ପ୍ରଚଣ୍ଡ ହୋଇଥିଲା। ନକ୍ସଲ ମୃତଦେହ ଆଣିବା ବେଳେ ଜଣେ ଡିଆରଜି କମାଣ୍ଡରଙ୍କ ଦେହରେ ଗୁଳି ବାଜିଥିଲା। କମାଣ୍ଡରଙ୍କୁ ଉଦ୍ଧାର ପାଇଁ ଯିବା ବେଳେ ନକ୍ସଲମାନେ ଗୁଳି ମାଡ଼ ଜୋରଦାର କରିଥିଲେ।

ସୁରକ୍ଷାକର୍ମୀଙ୍କ ସଂଖ୍ୟା ୪୫୦ ଥିବା ବେଳେ ନକ୍ସଲଙ୍କ ସଂଖ୍ୟା ପ୍ରାୟ ୭୫୦ ରହିଥିଲା। ତଥାପି ଯବାନମାନେ ସେମାନଙ୍କ ସହ ଦୀର୍ଘ ୪ରୁ ୫ ଘଣ୍ଟା ଲଢ଼େଇ କରିଥିଲେ। ଲଢ଼େଇରେ ଆମର ୨୨ ଜଣ ସହିଦ ହୋଇଛନ୍ତି। ରାକେଶ୍ୱର ସିଂହ ମନହାସ ଏବେ ବି ନିଖୋଜ ରହିଛନ୍ତି। ତାଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିବା କୁହାଯାଉଛି। ଏହାକୁ ଏଡ଼ାଇ ଦିଆଯାଇ ନପାରେ। କିନ୍ତୁ ଏ ସମ୍ପର୍କରେ ଠିକ୍‌ ସୂଚନା ଏଯାଏ ମିଳିନି।

ନକ୍ସଲଙ୍କ ଲଢ଼େଇ ବେଳେ ଡିଆରଜିର ୮, ଏସଟିଏଫର ୬, କୋବ୍ରାର ୭ ଓ ଅନ୍ୟ ଜଣେ ଯବାନ ସହିଦ ହୋଇଛନ୍ତି। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ହମଲା କରିବାକୁ ୟୁ- ଆକୃତିର ପୋଜିସନ ନେଇଥିଲେ। ଆକ୍ରମଣ ସ୍ଥଳର ଦୁଇ ପାଖରେ ପାହାଡ଼ ରହିଥିଲା। ଗୁଳିମାଡ଼ର ସମ୍ମୁଖୀନ ହୋଇ ସୁରକ୍ଷାକର୍ମୀମାନେ ଫେରି ଆସିବାକୁ ଚେଷ୍ଟା କରିଥିଲେ। ହେଲେ ନକ୍ସଲଙ୍କ ୟୁ ଆକୃତର ପୋଜିସନ ଯୋଗୁ ଏହା ସମ୍ଭବ ହୋଇ ନଥିଲା।

ଘଟଣାରେ କୌଣସି ପ୍ରକାରର ଗୁଇନ୍ଦା ବିଫଳତା ହୋଇନାହିଁ। ଗୁଇନ୍ଦା ସୂଚନା ମିଛ ହୋଇଥିଲେ ଯବାନମାନେ କେବେ ହେଲେ ଅପରେସନ କରିବାକୁ ଯାଇ ନଥାଆନ୍ତେ। ସେହିପରି ଗୁଇନ୍ଦା ରିପୋର୍ଟ ମିଳିଥିଲା ଯେ ନକ୍ସଲମାନେ ଜଙ୍ଗଲରେ ଅଛନ୍ତି। ସତକୁ ସତ ନକ୍ସଲମାନେ ଜଙ୍ଗଲରେ ଥିବାରୁ ଏନକାଉଣ୍ଟର ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୨୫ରୁ ୨୮ ଜଣ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ସେମାନଙ୍କୁ ଟ୍ରାକ୍ଟର ଯୋଗେ ଅନ୍ୟ ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ନେଇ ଯାଇଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos