ଜେପି ନଡ୍ଡାଙ୍କ ରୋଡ ଶୋ’ରେ ପଶିଲା ଆମ୍ବୁଲାନ୍ସ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

କୋଲକାତା: ରାଜନୀତିକ ଦଳଗୁଡ଼ିକ ପାଇଁ ରୋଡ ଶୋ’ ବେଶ ଗୁରୁତ୍ୱପୂର୍ଣ୍ଣ। ରୋଡ ଶୋ’ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ଜରୁରୀ ସେବା ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତଥାପି ବିଭିନ୍ନ ରାଜନୀତିକ ଦଳ ରୋଡ ଶୋ’ କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଆନ୍ତି।

ଏହିକ୍ରମରେ ଆଗକୁ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପଶ୍ଚିମ ମେଦିନିପୁରରେ ବିଶାଳ ରୋଡ ଶୋ’ କରିଥିଲେ। ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ରୋଡ ଶୋ’ ପାଖରେ ପହଞ୍ଚିଥିଲା। ପ୍ରବଳ ଭିଡ଼ ଯୋଗୁ ଏହା କେମିତି ଆଗକୁ ବଢ଼ିବ, ତା’କୁ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ରହିଥିଲେ।

କିନ୍ତୁ ଜେପି ନଡ୍ଡା ହଠାତ୍‌ ମାଇକ୍‌ ଯୋଗେ ସମସ୍ତଙ୍କୁ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିବାକୁ ଆହ୍ୱାନ ଦେଇଥିଲେ। କେହି ବି ଆମ୍ବୁଲାନ୍ସ ରାସ୍ତା ଅଟକାଇବେ ନାହିଁ ବୋଲି ସେ କହିଥିଲେ। ଏହା ଶୁଣି ରୋଡ ଶୋ’ରେ ସାମିଲ ଥିବା ବିଜେପି କର୍ମୀମାନେ ତୁରନ୍ତ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ।


ଆମ୍ବୁଲାନ୍ସ ଛାଡ଼ିବା ପାଇଁ ଜେପି ନଡ୍ଡା ରୋଡ ଶୋ’ରେ ଘୋଷଣା କରିବା ବେଳର ଭିଡିଓ ଏଏନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଆମ୍ବୁଲାନ୍ସ ଭିଡ଼ ଅତିକ୍ରମ କରିବା ପରେ ବିଜେପି କର୍ମୀମାନେ ତାଳିମାରି ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ରୋଡ ଶୋ’ରେ ଉଦବୋଧନ ଦେଇ ନଡ୍ଡା କହିଛନ୍ତି, ବେଙ୍ଗଲ ବିଜେପିକୁ ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ସେମାନେ ଟିଏମସିର ଚୋରି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।