ଦିଲ୍ଲୀର ଅବକାରୀ ନୀତି କ’ଣ? କାହିଁକି ଉପ ମୁଖ୍ୟମନ୍ତ୍ରୀଙ୍କୁ ୧ନଂ ଅଭିଯୁକ୍ତ ଦର୍ଶାଇଛି ସିବିଆଇ

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଆଜି ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କ ୨୧ଟି ଠିକଣାରେ ରେଡ୍‌ କରିଛି। ଏବେ ବି ରେଡ୍‌ ଜାରି ରହିଛି। ନୂଆ ଅବକାରୀ ନୀତୀ ଲାଗୁ ହେବାର ପ୍ରାୟ ୮ ମାସ ପରେ ଅର୍ଥାତ ଜୁଲାଇ ମାସରେ ହିଁ ଦିଲ୍ଲୀ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଅବକାରୀ ବିଭାଗର ମୁଖ୍ୟ ସିସୋଦିଆ ଜୁଲାଇ ୩୦ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ନୂଆ ଅବକାରୀ […]

manish-sisodia

manish-sisodia

Hemant Lenka
  • Published: Friday, 19 August 2022
  • Updated: 19 August 2022, 07:49 PM IST

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଆଜି ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କ ୨୧ଟି ଠିକଣାରେ ରେଡ୍‌ କରିଛି। ଏବେ ବି ରେଡ୍‌ ଜାରି ରହିଛି। ନୂଆ ଅବକାରୀ ନୀତୀ ଲାଗୁ ହେବାର ପ୍ରାୟ ୮ ମାସ ପରେ ଅର୍ଥାତ ଜୁଲାଇ ମାସରେ ହିଁ ଦିଲ୍ଲୀ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଅବକାରୀ ବିଭାଗର ମୁଖ୍ୟ ସିସୋଦିଆ ଜୁଲାଇ ୩୦ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ନୂଆ ଅବକାରୀ ନୀତି ବାତିଲ କରାଯାଉଥିବା କହିଥିଲେ।

ଏହାର ଅର୍ଥ ଏବେ କେବଳ ସରକାରୀ ଅନୁବନ୍ଧିତ ଦୋକାନୁଗଡ଼ିକରେ ମଦ ବିକ୍ରି ହୋଇପାରିବ। ନୂଆ ଅବକାରୀ ନୀତି ଲାଗୁ ହେବା ପରେ ସରକାରଙ୍କ ରାଜସ୍ୱ ୨୭% ବଢ଼ିଥିଲା। ସରକାର ପ୍ରାୟ ୮,୯୦୦ କୋଟି ଟଙ୍କା ପାଇଥିଲେ। ତଥାପି କେଜ୍ରିୱାଲ ସରକାର ଏହାକୁ ପ୍ରତ୍ୟାହାର କରିବା ସହ ପୁରୁଣା ଅବକାରୀ ନୀତି ଲାଗୁ କରିଛନ୍ତି।

ନୂଆ ଅବକାରୀ ନୀତିରେ ଆର୍ଥିକ କାରବାର ହୋଇଥିବା ଅଭିଯୋଗ ହେବାରୁ ପ୍ରଥମେ ଦିଲ୍ଲୀ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ଏହାର ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ସିବିଆଇ ତା’ ଏଫଆଇଆରରେ ମନ୍ତ୍ରୀ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାବାଦ ଏଫଆଇଆରରେ କିଛି ପୂର୍ବତନ ଅବକାରୀ କର୍ମଚାରୀ ଓ ବର୍ତ୍ତମାନର ଅଧିକାରୀଙ୍କ ନାଁ ରହିଛି। ଏଫଆଇଆର୍‌ରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି। ୧୬ନଂ ସ୍ଥାନରେ କିଛି ଅଜଣା ସରକାରୀ ଓ ଘରୋଇ କମ୍ପାନୀର ବ୍ୟକ୍ତି ରହିଥିବା ଉଲ୍ଲେଖ କରାଯାଇଛି।

ନୂଆ ଅବକାରୀ ନୀତି କ’ଣ ଥିଲା

ନୂଆ ଅବକାରୀ ନୀତି ଅନୁସାରେ ସରକାର ଆଉ ମଦ ବିକ୍ରି କରିବେ ନାହିଁ। ମଦ ବିକ୍ରି ଦାୟିତ୍ୱ ଘରୋଇ କମ୍ପାନୀକୁ ମିଳିଥିଲା। ଏହାଦ୍ୱାରା ସରକାର ଅଧିକ ରାଜସ୍ୱ ପାଇବେ ବୋଲି ଆଶା ରଖିଥିଲେ। ଗ୍ରାହକମାନଙ୍କୁ ଉପଯୁକ୍ତ ସୁବିଧା, ମଦ ମାଫିଆଙ୍କ ଦବଦବା ଓ କଳା ବାଜାରୀକୁ ରୋକିବାକୁ ସରକାର ଯୋଜନା କରିଥିଲେ। ନଭେମ୍ବର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ ହେବା ସହ ଦିଲ୍ଲୀକୁ ୩୨ଟି ଜୋନରେ ବିଭକ୍ତ କରାଯାଇଥିଲା। ପ୍ରତି ଜୋନରେ ୨୭ଟି ଲେଖାଏ ମଦ ଦୋକାନ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ।

ଗ୍ରାହକଙ୍କୁ ଉପଯୁକ୍ତ ସେବା ଦେବା ଉଦ୍ଦେଶ୍ୟରେ ସରକାର ଦୋକାନୀମାନଙ୍କୁ ଏମଆରପି ବାଦ ଦେଇ ମଦର ଦାମ ସ୍ଥିର କରିବାକୁ ଲାଇସେନ୍ସ ଦେଇଥିଲେ। ଗ୍ରାହକଙ୍କୁ ଦୋକାନୀମାନେ ନିଜ ଇଚ୍ଛାରେ ଅଫର ଦେଇ ପାରିବେ ଓ ରାତି ୩ଟା ଯାଏ ଦୋକାନ ଖୋଲିପାରିବାର ବ୍ୟବସ୍ଥା ରହିଥିଲା। ସେହିପରି ଗ୍ରାହକଙ୍କ ପାଇଁ ମଦର ହୋମ ଡେଲିଭରୀର ବ୍ୟବସ୍ଥାକୁ ମଧ୍ୟ ଅନୁମତି ଦିଆଯାଇଥିଲା।

କ’ଣ ରିପୋର୍ଟରେ ଲେଖିଥିଲେ ମୁଖ୍ୟ ସଚିବ ନରେଶ କୁମାର?

ଉପ ରାଜ୍ୟପାଳଙ୍କୁ ମୁଖ୍ୟ ଶାସନ ସଚିବ କୁମାର ଦେଇଥିବା ରିପୋର୍ଟରେ ଅନେକ ପ୍ରକାରର ନିୟମର ଉଲ୍ଲଙ୍ଘନ ନୂଆ ଅବକାରୀ ନୀତିରେ କରାଯାଇଥିବା କହିଥିଲେ। ଜୁଲାଇ ୮ରେ ସେ ଏହି ରିପୋର୍ଟକୁ ଉପ ରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ କୋଭିଡ ପାଇଁ ଟେଣ୍ଡର ଲାଇସେନ୍ସ ଫି’ ବାବଦରେ ଆଦାୟ ହେବାକୁ ଥିବା ୧୪୪.୩୬ କୋଟି ଟଙ୍କା ଛାଡ଼ କରାଯାଇଛି। ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ମଦ ଦୋକାନୀଙ୍କୁ ସରକାର ଏତେ ଟଙ୍କାର ଫାଇଦା ଦେଇଛନ୍ତି। ସେହିପରି ବିଦେଶୀ ବିୟର ଉପରେ ଲାଗୁଥିବା ୫୦ ଟଙ୍କାର ଫି’କୁ ଛାଡ଼ କରାଯାଇଛି। ଏହା ଅବକାରୀ ବିଭାଗକୁ କ୍ଷତି ପହଞ୍ଚାଇଥିବା ବେଳେ ଲାଇସେନ୍ସଧାରୀଙ୍କୁ ଫାଇଦା ଦେଇଛି।

୨୦୧୦ ଦିଲ୍ଲୀ ଅବକାରୀ ନିୟମ ଅନୁଯାୟୀ, ଯେକୌଣସି ପରିବର୍ତ୍ତନ ପାଇଁ ପ୍ରଥମେ ଉପ ରାଜ୍ୟପାଳଙ୍କ ଅନୁମତି ନେବାକୁ ପଡ଼ିବ। ଏହାପରେ ଏହାକୁ କ୍ୟାବିନେଟ ଅନୁମୋଦନ କରିବ। ଯଦି ଏହି ପ୍ରାବଧାନକୁ ପାଳନ କରାଯାଉ ନଥିବ, ତା’ହେଲେ ସବୁ ପ୍ରକାରର ନିମୟକୁ ଅବୈଧ ଦର୍ଶାଯିବ। ଏହି ରିପୋର୍ଟ ପରେ ହିଁ ଦିଲ୍ଲୀ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା(EOW) ଏଣ୍ଟ୍ରୀ କରିଥିଲା।

EOW ମୁଖ୍ୟ ସଚିବ କୁମାରଙ୍କ ସହ ଯୋଗାଯୋଗ କରି ବିଗତ କିଛି ମାସ ଧରି ଅବକାରୀ ବିଭାଗ କରିଥିବା ବୈଠକ ଭିଡଓ ସଂଗ୍ରହ କରିଥିଲା। ସେହିପରି ଅବକାରୀ ବିଭାଗ ପାଖରୁ ଟେଣ୍ଡର ନୀତି, ଲାଇସେନ୍ସ ବଣ୍ଟ ଓ ଅନ୍ୟ କିଛି ଦସ୍ତାବିଜ ମଧ୍ୟ ଆଣିଥିଲା। ଏହାର ତଦନ୍ତ ଚାଲୁଥିବା ବେଳେ ସିବିଆଇ ଏବେ ଛାନବିନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos