କ’ଣ ପାଇଁ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଦଳିତ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ସିଙ୍ଘୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଳରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ତାଙ୍କ ଗୋଟିଏ ହାତକୁ କାଟି ଦିଆଯାଇଥିବା ବେଳେ ଆନ୍ଦୋଳନ ସ୍ଥଳର ମୁଖ୍ୟ ଷ୍ଟେଜ ନିକଟରେ ଥିବା ଗୋଟିଏ ବ୍ୟାରିକେଡ୍‌ରେ ତାଙ୍କ ମୃତଦେହ ଝୁଲାଇ ଦିଆଯାଇଥିଲା।

ନିହାଙ୍ଗମାନେ ତାଙ୍କୁ ହିତ୍ୟା କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ସୂଚନା ଦେଇଛି। ମୃତକ ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ ଲଖବୀର ସିଂହ। ତାଙ୍କ ଘର ପଞ୍ଜାବର ତରନତାରନ ଅନ୍ତର୍ଗତ ଛୀମା ଖୁର୍ଦ୍ଧୁ ଗାଁରେ। ତାଙ୍କ ପତ୍ନୀ ଓ ୩ ପିଲା ଗାଁରେ ରହୁଥିଲେ। ସେ ୩ରୁ ୪ ଦିନ ତଳେ ଏଠାକୁ ଆସିବା ସହ ନିହାଙ୍ଗମାନଙ୍କ ସହ ସିଙ୍ଘୁ ସୀମା କ୍ୟାମ୍ପରେ ରହୁଥିଲେ।

୬ ମାସର ଥିବା ବେଳେ ଲଖବୀର ସିଂହଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ବାପାଙ୍କ ନାଁ ଦର୍ଶନ ସିଂହ। ଲଖବୀରଙ୍କ ବାପା ମା’ ପୂର୍ବରୁ ହିଁ ପ୍ରାଣ ହରାଇ ସାରିଛନ୍ତି।

ତେବେ କାହିଁକି ତାଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଗଲା?

୧- ମାତ୍ର ୩ ଦିନ ତଳେ ଲଖବୀର ସିଂହ ଦିଲ୍ଲୀ ସୀମାନ୍ତରେ ଥିବା ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ସେ ନିହାଙ୍ଗମାନଙ୍କ ସହ ରହିଥିଲେ।

୨- ଗୁରୁବାର ରାତି ୩ଟାରେ ଲଖବୀର ନିହାଙ୍ଗମାନଙ୍କ ପବିତ୍ର ସରବାଲୋହ ଗ୍ରନ୍ଥକୁ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

୩-ସେ ଏହାକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ନିହାଙ୍ଗ ଶିଖ ଏହାକୁ ଦେଖି ଦେଇଥିଲେ। ଏହାପରେ ତାଙ୍କୁ ଗ୍ରନ୍ଥ ସହ କ’ଣ କରୁଛ ବୋଲି ପ୍ରଶ୍ନ କରାଯାଇଥିଲା।

୪- ପଚରେ ଉଚରା ବେଳେ ସେ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ସମସ୍ତେ ମିଳିତ ଭାବେ ମାଡ଼ ମାରିବା ଆରମ୍ଭ କରିଥିଲେ।

୫- ମାରପିଟ୍‌ ବେଳେ କିଛି ନିହାଙ୍ଗ ତାଙ୍କ ହାତକୁ ଶରୀରରୁ ଅଲଗା କରିଦେଇଥିଲା। ତାଙ୍କ ଗୋଡ଼କୁ ମଧ୍ୟ କାଟି ଦେବାକୁ କିଛି ଲୋକ କହିଥିଲେ।

The man, who was killed at Singhu border near Delhi, was tied to a metal barricade when the locals first spotted him. (Screenshot from the viral video)
୬- ହାତ କଟିବା ପରେ ପ୍ରବଳ ରକ୍ତ ଶ୍ରାବ ହୋଇଥିଲା। ଫଳରେ ସେ ଅଚେତ ହୋଇ ଯାଇଥିଲେ। ଏହାପରେ ତାଙ୍କୁ ସେହି ଅବସ୍ଥାରେ ମରିବା ପାଇଁ ବ୍ୟାରିକେଡ୍‌ରେ ଦଉଡ଼ି ଦ୍ୱାରା ଝୁଲାଇ ଦିଆଯାଇଥିଲା।

୭- ପୁଲିସ୍‌ ଘଟଣା ସମ୍ପର୍କରେ ଭୋର ୫ଟା ବେଳେ ଖବର ପାଇଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।

୮- ମୋର୍ଚ୍ଚା ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି। ନିହାଙ୍ଗମାନଙ୍କ ସହ ଚାଷୀଙ୍କର କୌଣସି ସମ୍ପର୍କ ନାହିଁ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

୯- ମୋର୍ଚ୍ଚାର ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି, ନିହାଙ୍ଗମାନେ ଏହା ପଛରେ ରହିଛନ୍ତି। ସେମାନେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି। ନିହାଙ୍ଗମାନେ ଆମକୁ ଅସୁବିଧାରେ ପକାଇବାକୁ ଆରମ୍ଭରୁ ହିଁ ଚେଷ୍ଟା କରି ଚାଲିଛନ୍ତି।

୧୦- ପୁଲିସ୍‌ ଏବେ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।