ବୋମା ଭର୍ତ୍ତି କାରରୁ ମିଳିଲା ସଚିନଙ୍କ ଫିଙ୍ଗରପ୍ରିଣ୍ଟସ, ପିପିଇ କିଟ୍ ଭିତରେ କିଏ?

ମୁମ୍ୱାଇ: ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଉଦ୍ଧାର ମାମଲାରେ ଏନଆଇଏ ହାତରେ ବଡ଼ ପ୍ରମାଣ ଲାଗିଛି। ଆଉ ଏହି ପ୍ରମାଣ ସଚିନ ବାଜେଙ୍କୁ ଏନଆଇଏ ଦେଖାଇବା ପରେ ସେ ସବୁ ସତ କହିଥିବା କୁହାଯାଉଛି। ତେବେ ସଚିନଙ୍କ ଓକିଲ କହିଛନ୍ତି ଯେ ସେ ଏ ଯାଏ ତାଙ୍କୁ କିଛି କହି ନାହାନ୍ତି।

ଏକ ଜାତୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୋମା ଭର୍ତ୍ତି କାର୍‌ର ଫରେନସିକ ଯାଞ୍ଚ କରାଯାଇଥିଲା। ଆଉ  ଯାଞ୍ଚ ବେଳେ ସଚିନ ବାଜେଙ୍କର ଫିଙ୍ଗରପ୍ରିଣ୍ଟ୍ସ ସାମ୍ନାକୁ ଆସିଛି। ଏହାକୁ ସଚିନକୁ କୁହାଯିବା ପରେ ସେ ଅନେକ କଥା ଏନଆଇଏ ଆଗରେ କହିଛନ୍ତି।

ଫେବୃଆରୀ ୨୫ ତାରିଖ ରାତିରେ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍ପୋର୍ପିଓ ଆସି ରହିଥିଲା। ଗାଡ଼ିଟି ସେଠାରେ ଥିବା ସମୟରେ ପଛରୁ ଏକ ଧଳା ରଙ୍ଗର ଇନୋଭା ତାକୁ ଅତିକ୍ରମ କରିଥିଲା। ଉକ୍ତ ଇନୋଭା କାରକୁ ଏନଆଇଏ ଜବତ କରିଛି। ଏହି କାର ସଚିନ ବାଜେ ବ୍ୟବହାର କରୁଥିଲେ। ଏହା ମୁମ୍ୱାଇ କ୍ରାଇମବ୍ରାଞ୍ଚ ୟୁନିଟର ବୋଲି ଜଣାପଡ଼ିଛି।

ଅମ୍ବାନୀଙ୍କ ଘର ସମ୍ମୁଖରେ ସ୍କୋର୍ପିଓ ଭର୍ତ୍ତି କାରଟି କିଛି ସମୟ ରହିବା ପରେ ଏହାର ପଛ ଡୋର ଦେଇ କେହି ଜଣେ ପିପିଇ କିଟ୍ ପିନ୍ଧି ବାହାରିଥିଲେ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସ୍କୋର୍ପିଓ ଭିତରୁ ସଚିନ ବାଜେଙ୍କର ଫିଙ୍ଗର ପ୍ରିଣ୍ଟସ ଜବତ ହୋଇଥିବାରୁ ଏହି ପିପିଇ କିଟ୍ ଭିତରେ ସଚିନ ବାଜେ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏନଆଇଏ ଏହି ମାମଲାରେ ତଦନ୍ତ କରୁଛି।

ଏହି ମାମଲାରେ ସଚିନ ଏନଆଇଏ ଦ୍ୱାରା ଗିରଫ ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା। ଆଉ ଏହାର ନେତୃତ୍ୱ ନେଇଥିଲେ ନିଜେ ସଚିନ ବାଜେ। ତେଣୁ ସଚିନଙ୍କ ଟିମରେ ଯେଉଁମାନେ ଥିଲେ ସେମାନଙ୍କୁ ମଧ୍ୟ ଜେରା କରିବାକୁ ଏନଆଇଏ ସମନ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସର ଏହି ସ୍ପେଶାଲ ଏନକାଉଣ୍ଟର ସ୍ପେଶାଲିଷ୍ଟଙ୍କୁ ମାର୍ଚ୍ଚ ୨୫ ଯାଏ ଏନଆଇଏ ନିଜ ହେପାଜତରେ ରଖିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।