ପ୍ରଧାନମନ୍ତ୍ରୀ ମୋଦି ଦେଉଥିବା ଭାଷଣ ଲେଖୁଛି କିଏ? ଏମିତି ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ଅନେକ କାର୍ଯ୍ୟକ୍ରମରେ ଭାଷଣ ଦେଉଛନ୍ତି। ଗୋଟିଏ ଦିନରେ ସେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେଇ ସମସ୍ତଙ୍କୁ ବିମୋହିତ କରୁଛନ୍ତି। ତାଙ୍କ ଭାଷଣରେ ଅଲଗା ପ୍ରକାରର ଯାଦୁ ଥିବା ଅନେକ ସମୟରେ ରାଜନୀତିକ ପଣ୍ଡିତମାନେ କହିଥାଆନ୍ତି।

ହେଲେ ମୋଦିଙ୍କ ଏହି ଭାଷଣ ପଛରେ କିଏ? ମୋଦିଙ୍କ ପାଇଁ ବିଭିନ୍ନ ପ୍ରକାରର ଭାଷଣ କିଏ ଲେଖୁଛନ୍ତି? ଦଳୀୟ କାର୍ଯ୍ୟକ୍ରମ ଓ ସରକାରୀ ସଭାରେ ଅନେକ ଫରକ ରହିଥିଲେ ହେଁ ମୋଦି କେମିତି ନିଜ ମୁଡକୁ ଉଭୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରି ଭାଷଣ ଦେଉଛନ୍ତି? ଏସବୁ ପ୍ରଶ୍ନର ଉତ୍ତର ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ମୋଦିଙ୍କ ଭାଷଣ କିଏ ଲେଖୁଛନ୍ତି ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି, ସେକଥା ଜାଣିବା ପାଇଁ ଆରଟିଆଇ ଜରିଆରେ ପିଏମଓ ଅଫିସରେ ଆବେଦନ କରାଯାଇଥିଲା। ଆରଟିଆଇ ଆବେଦନର ଉତ୍ତର ଦେଇ ପିଏମଓ ମୋଦିଙ୍କ ଭାଷଣରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ସେ ବିଷୟରେ କିଛି ବି ସୂଚନା ଦେଇନାହିଁ।

ତେବେ ମୋଦିଙ୍କ ଭାଷଣ ପ୍ରସ୍ତୁତ ପାଇଁ ତଥ୍ୟ ବିଭିନ୍ନ କ୍ଷେତ୍ରରୁ ଆସିଥାଏ। ନିଜ ପ୍ରଧାନମନ୍ତ୍ରୀ ସବୁ ତଥ୍ୟକୁ ଆଧାର କରି ଚୂଡ଼ାନ୍ତ ଭାଷଣ ପେପର ତିଆରି କରନ୍ତି ବୋଲି କୁହାଯାଇଛି। ପିଏମଓ କହିଛି, “କାର୍ଯ୍ୟକ୍ରମ କେଉଁ ଆଧାରରେ ହେଉଛି, ତା’କୁ ପ୍ରଥମେ ନଜରକୁ ନିଆଯାଏ। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାଷଣ ପେପର ପ୍ରସ୍ତୁତି କରାଯାଇଥାଏ।

ବିଭିନ୍ନ ବ୍ୟକ୍ତି, ଅଧିକାରୀ, ବିଭାଗ, ଅନୁଷ୍ଠାନ ଓ କାର୍ଯ୍ୟକ୍ରମକୁ ଆୟୋଜନ କରୁଥିବା ବ୍ୟକ୍ତି ଏବଂ ସଂସ୍ଥା ଭାଷଣରେ କ’ଣ ସବୁ ସାମିଲ କରାଯିବ ସେସବୁର ଇନପୁଟ୍‌ ଦେଇଥାଆନ୍ତି। ଏଗୁଡ଼ିକ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ପଠାଯାଏ। ଏହାକୁ ଆଧାର କରି ଭାଷଣର ଚୂଡ଼ାନ୍ତ ପେପର ନିଜେ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ କରନ୍ତି। ଚୂଡ଼ାନ୍ତ ଭାଷଣ ପେପରରେ ଆଉ କେହି ବି ହସ୍ତକ୍ଷେପ କରନ୍ତି ନାହିଁ।” ଏହାର ଅର୍ଥ ମୋଦି ଦେଉଥିବା ଭାଷଣ ସେ ନିଜେ ହିଁ ପ୍ରସ୍ତୁତ କରନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।