ନିର୍ବାଚନ ଜିତିଥିଲେ ବି ଶପଥ ନେଇପାରୁନାହାନ୍ତି ବାବୁଲ ସୁପ୍ରିୟୋ

କୋଲକାତା: ବିଧାୟକ ଭାବେ ନିର୍ବାଚିତ ହେବା ପରେ ବି ବାବୁଲ ସୁପ୍ରିୟୋଙ୍କ ପିଛା ଚାଡୁନି ବିବାଦ। ଟିଏମ୍‌ସିରୁ ବିଧାୟକ ହୋଇଥିଲେ ମଧ୍ୟ ସେ ନେଇ ପାରୁନାହାନ୍ତି ଶପଥ। ବାଲିଗଞ୍ଜ ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ବିତି ଗଲାଣି। ଏହା ସତ୍ତ୍ୱେ ବି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ନେତା ବାବୁଲ ସୁପ୍ରିୟୋଙ୍କୁ ବିଧାୟକ ଭାବେ ଶପଥ ଦେବା ନେଇ ବିବାଦ ଲାଗି ରହିଛି।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ବାବୁଲ ସୁପ୍ରିୟୋଙ୍କୁ ଶପଥ ପାଠ କରାଇବା ପାଇଁ ପଶ୍ଚିମବଙ୍ଗ ବିଧାନସଭା ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଅଧିକାର ପ୍ରଦାନ କରିଥିଲେ। ହେଲେ ଉପବାଚସ୍ପତି କିନ୍ତୁ ବାବୁଲ ସୁପ୍ରିୟୋଙ୍କୁ ଶପଥ ପାଠ କରାଇବା ପାଇଁ ମନା କରିଦେଇଛନ୍ତି।

ଆଶିଷ ବାନାର୍ଜୀ କହିଛନ୍ତି,  ‘ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଉପସ୍ଥିତ ଥିବାବେଳେ ମୁଁ ଯଦି ବାବୁଲଙ୍କୁ ଡେପୁଟି ସ୍ପିକର ଭାବରେ ଶପଥ ପାଠ କରାଇବି, ତେବେ ଏହା ତାଙ୍କ ପାଇଁ ଅପମାନ ହେବ। ଶପଥ ଗ୍ରହଣ କରିବାରେ ମୋର ଅକ୍ଷମତା ପ୍ରକାଶ କରି ମୁଁ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇବି। ବାଚସ୍ପତି ଥାଉ ଥାଉ ମୋର ତାଙ୍କୁ ଶପଥ ପାଠ କରାଇବା କିଛି ଆବଶ୍ୟକ ନାହିଁ।’

ବାବୁଲ ସୁପ୍ରିୟୋଙ୍କୁ ପୂର୍ବରୁ ଶପଥ ଦେବା ପାଇଁ ରାଜ୍ୟପାଳଙ୍କ ପାଖକୁ ଫାଇଲ୍‌ ଯାଇଥିଲା। ହେଲେ ରାଜ୍ୟପାଳ ଜଗଦୀପ ଧନଖଡ ଫାଇଲ୍‌କୁ ଫେରାଇ ଦେଇଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥାନ୍ତି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ଜଣେ ପ୍ରତିନିଧୀଙ୍କୁ ମଧ୍ୟ ଏଥିପାଇଁ ନିଯୁକ୍ତ କରିପାରିବେ। ଧାରା ୧୮୮ରେ ଥିବା କ୍ଷମତାର ପ୍ରୟୋଗ କରି ରାଜ୍ୟପାଳ ଜଗଦୀପ ଧନଖଡ ଏଥିପାଇଁ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତିଙ୍କୁ ନିଯୁକ୍ତ କରିଛନ୍ତି।

କୁହାଯାଉଛି ଯେ, ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା କୋଲ୍ଡ ୱାର୍‌ର ଏହା ହେଉଛି ପରିଣାମ। ସେପଟେ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରିଛନ୍ତି ବାବୁଲ ସୁପ୍ରିୟୋ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଅବଶ୍ୟ ଏହା ରାଜ୍ୟପାଳଙ୍କ ଅଧିକାର। କିନ୍ତୁ ଯଦି ବିଧାନସଭାର ବାଚସ୍ପତି ଶପଥ ନକରନ୍ତି, ତେବେ ମୋ ମନରେ ଏକ ପ୍ରତିବନ୍ଧକ ରହିବ।’

ବିଜେପିରେ ଥିବା ବେଳେ ଆସନସୋଲ ଆସନରୁ ବାବୁଲ ସୁପ୍ରିୟୋ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡରେ ମଧ୍ୟ ମନ୍ତ୍ରୀ ହୋଇଥିଲେ। ହେଲେ କେନ୍ଦ୍ରମନ୍ତ୍ରୀ ପଦ ଯିବା ପରେ ସେ ବିଜେପିରୁ ଇସ୍ତଫା ଦେଇ ଟିଏମ୍‌ସିରେ ଯୋଗ ଦେଇଥିଲେ। ଗତ ୧୨ ତାରିଖରେ ହୋଇଥିବା ବାଲିଗଞ୍ଜ ଉପନିର୍ବାଚନରେ ସେ ବିଧାୟକ ଭାବେ ବିଜୟୀ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।