କ’ଣ ପାଇଁ ଘୋଷଣା ହେଲାନି ଗୁଜରାଟ ନିର୍ବାଚନ ତାରିଖ? ଜବାବ ରଖିଲେ କମିଶନର

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ‌ଆସନ୍ତା ନଭେମ୍ବର ୧୨ରେ ସମସ୍ତ ୬୮ଟି ଯାକ ବିଧାନସଭା ଆସନ ପାଇଁ ଏଠାରେ ଭୋଟିଂ ହେବ। ସେହିପରି ଡିସେମ୍ବର ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସମସ୍ତେ ଆଶା କରିଥିଲେ ଯେ ଗୁଜରାଟ ନିର୍ବାଚନର ତାରିଖ ମଧ୍ୟ ଆଜି ଘୋଷଣା କରାଯିବ। ୨୦୧୭ରେ ଦୁଇ ରାଜ୍ୟ ପାଇଁ ଗୋଟିଏ ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ପ୍ରାୟ ଏକା ସମୟରେ ସରୁ ଥିବାରୁ ଏକାଠି ମଧ୍ୟ ନିର୍ବାଚନ ହେବ। ହେଲେ ଆଜି ନିର୍ବାଚନ କମିଶନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନାହାନ୍ତି।

ପ୍ରଚଳିତ ପରମ୍ପରା ଅନୁସାରେ, ୬ ମାସ ବ୍ୟବଧାନ ମଧ୍ୟରେ ବିଧାନସଭା କାର୍ଯ୍ୟକାଳ ସିରିବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ଏକା ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇଥାଏ। ସେହିପରି ଏକାଠି ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇଥାଏ। କ’ଣ ଏଥର ନିର୍ବାଚନ କମିଶନର ନିୟମ ଉଲ୍ଲଙ୍ଘନ କରିଛନ୍ତି କି?

ଏହାର ଜବାବରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଦେଇଛନ୍ତି। ସେ କହିଛନ୍ତି ଯେ କେବେ ବି କୌଣସି ନିୟମ ଉଲ୍ଲଙ୍ଘନ କରାଯାଇନାହିଁ। ଦୁଇ ରାଜ୍ୟ(ଗୁଜରାଟ ଓ ହିମାଚଳ ପ୍ରଦେଶ)ର ବିଧାନସଭା କାର୍ଯ୍ୟ ଶେଷ ହେବା ମଧ୍ୟରେ ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁସାରେ ଏହା ୩୦ ଦିନର ବ୍ୟବଧାନ ରହିବା ଉଚିତ। ଫଳରେ ଗୋଟିଏ ରାଜ୍ୟର ରେଜଲ୍ଟ ଆଉ ଗୋଟିଏ ରାଜ୍ୟର ନିର୍ବାଚନ ଉପରେ ପ୍ରଭାବ ପକା ପାରିବ ନାହିଁ ବୋଲି ସେ କହିଛନ୍ତି।

ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଫେବୃଆରୀ ଓ ହିମାଚଳ ପ୍ରଦେଶ ବିଧାନଭାର କାର୍ଯ୍ୟକାଳ ଜାନୁଆରୀରେ ଶେଷ ହେଉଛି। ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ରହିଛି।

କମିଶନର ରାଜୀବ କୁମାର ଆହୁରି କହିଛନ୍ତି, “ପାଗ ସମେତ ଅନେକ କଥାକୁ ବିଚାରକୁ ନିଆଯାଇଛି। ତୁଷାରପାତ ପୂର୍ବରୁ ଆମେ ହିମାଚଳ ପ୍ରଦେଶ ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ବିଭିନ୍ନ ଅଂଶିଦାରଙ୍କ ସହ କଥାବାର୍ତ୍ତା ଓ ବିଚାର ପରେ ନିଷ୍ପତ୍ତି ନିଆଯାଇଛି।”

ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣବିଧିକୁ ଲାଗୁ ହୋଇଛି। ତେବେ ୭୦ ଦିନ ବଦଳରେ ହିମାଚଳ ପ୍ରଦେଶରେ ୫୭ ଦିନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନଭେମ୍ବର ୧୨ରେ ହିମାଚଳରେ ଭୋଟିଂ ହେବାକୁ ଥିବା ବେଳେ ପ୍ରାୟ ମାସକ ପରେ ଅର୍ଥାତ ଡିସେମ୍ବର ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଏହି ଦୀର୍ଘ ସମୟର ବ୍ୟବଧାନରୁ ସ୍ପଷ୍ଟ ହେଉଛି ଯେ ନିର୍ବାଚନ କମିଶନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ଏଥିସହ ହିମାଚଳ ପ୍ରଦେଶ ସହ ଗୁଜରାଟ ବିଧାନସଭା ନିର୍ବାଚନର ରେଜଲ୍ଟ ଡିସେମ୍ବର ୮ରେ ହିଁ ପ୍ରକାଶ ପାଇପାରେ। ଯଦି ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇବ, ତା’ହେଲେ ଆଜି କେଉଁ ଅଜଣା କାରଣ ପାଇଁ ତାରିଖ ଘୋଷଣା କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।