ୟୁପି ହିଂସା ଘଟଣା: ମନ୍ତ୍ରୀଙ୍କ ପୁଅ କାହିଁକି ଗିରଫ ହୋଇନାହାନ୍ତି ପଚାରିଲେ ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଉଦ୍ୟମ କରି ଅଟକ ରହିଥିବା ପ୍ରିୟଙ୍କା କାହିଁକି ଏଯାଏ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ ହୋଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “କ’ଣ ପାଇଁ ମନ୍ତ୍ରୀଙ୍କ ପୁଅ ଗିରଫ ହୋଇ ନାହାନ୍ତି? ସେମାନେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ କେମିତି ରାଷ୍ଟ୍ରବାଦୀ?” ଏଥିସହ ବିଜେପି କ୍ଷମତାରେ ରହିବାର ଅଧିକାର ହରାଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ହିଂସା ହେଉଛି ହିଂସା। ମୁଁ ମୋ ଜୀବନରେ ଅନେକ ହିଂସା ଦେଖିଛି। ସେ ଚାଷୀଙ୍କ ସହ ଘଟୁ କିମ୍ବା ଅନ୍ୟ କାହା ସହ ଘଟୁ, ଯାହା ବି ଘଟିଲା ଭୁଲ। ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ। ମନ୍ତ୍ରୀଙ୍କ ପୁଅ ଆସିଲେ ଓ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ। ଲୋକମାନେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି।”

ମାୟାବତୀ ଓ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, “ଆପଣମାନେ ଗ୍ରାଉଣ୍ଡରେ ମାୟାବତୀ କିମ୍ବା ମୁଲାୟମଙ୍କୁ ଦେଖିଛନ୍ତି? ଅଖିଲେଶ? କୁଆଡ଼େ ଗଲେ ସେ? କଂଗ୍ରେସ ହିଁ ଗ୍ରାଉଣ୍ଡରେ ରହିଛି।”

କୃଷି ଆଇନ ଉପରେ ପ୍ରତିକ୍ରିୟା ରଖି ପ୍ରିୟଙ୍କା ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ହେଲେ ସରକାର ଏହାକୁ ଆଦୌ ବୁଝି ପାରୁ ନାହାନ୍ତି। ସେମାନେ ବିଦେଶରେ ଜଣେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଉଛନ୍ତି। ସେମାନେ ଏଠାରେ ଲୋକଙ୍କ ସହ ଆଲୋଚନା କରିବାର ଆପଣମାନେ କେବେ ଦେଖିଛନ୍ତି?”

ସୂଚନାଯୋଗ୍ୟ, ଗତକାଲି ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇ ୪ ଜଣ କୃଷକଙ୍କୁ ହତ୍ୟା କରିଥିବା ବେଳେ ୧୦ରୁ ଅଧିକ ଚାଷୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ହିଂସାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଚାଷୀମାନେ କେନ୍ଦ୍ରମନ୍ତ୍ରୀଙ୍କ କାରରେ ବସିଥିବା ୪ ଜଣଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥିସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।